ସାର ଦୁର୍ନୀତି ଘଟଣା
ସାହାରପଡ଼ା ଲ୍ୟାମ୍ପସ୍ ଅଭିଯୋଗ ଉପରେ ତଦନ୍ତ l
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସାହାରପଡ଼ା ଲ୍ୟାମ୍ପସ୍କୁ ନେଇ ଚାଷୀ ଓ ସଦସ୍ୟମାନଙ୍କ ପକ୍ଷରୁ ଦାଖଲ ହୋଇଥିବା ବିଭିନ୍ନ ଅଭିଯୋଗ ଉପରେ ଆଜି ତଦନ୍ତ କରାଯାଇଛି। କେନ୍ଦୁଝର ସହକାରୀ ସମିତି ସହକାରୀ ନିବନ୍ଧକ, କେନ୍ଦୁଝର ସର୍କଲଙ୍କ ନିର୍ଦ୍ଦେଶ ଅନୁଯାୟୀ ସାହାରପଡ଼ା ଲ୍ୟାମ୍ପସ୍ କାର୍ଯ୍ୟାଳୟରେ ଏହି ତଦନ୍ତ ଅନୁଷ୍ଠିତ ହୋଇଥିଲା। ଗତ ୫ ଅଗଷ୍ଟ ୨୦୨୬ରେ ଜାରି ହୋଇଥିବା ନୋଟିସ ଅନୁଯାୟୀ, ଅନ୍ନଦାତା କୃଷକ ସଂଗଠନର ଶ୍ରୀ ଜଗଦୀଶ ଚନ୍ଦ୍ର ମହାନ୍ତ ଓ ଅନ୍ୟାନ୍ୟ ସଦସ୍ୟଙ୍କ ପକ୍ଷରୁ ଦାଖଲ ଅଭିଯୋଗ ସହିତ କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକଙ୍କ ଅଭିଯୋଗକୁ ନେଇ ଆଜି ତଦନ୍ତ ହୋଇଥିଲା। ଏହି ତଦନ୍ତ ସମୟରେ ଲ୍ୟାମ୍ପସ୍ର ସଦସ୍ୟ ଓ କିଛି ଚାଷୀ ଉପସ୍ଥିତ ରହି ନିଜ ନିଜ ଅଭିଯୋଗ ଏବଂ ଦାବି ତଦନ୍ତ ଅଧିକାରୀଙ୍କ ସମ୍ମୁଖରେ ରଖିଥିଲେ। ଲ୍ୟାମ୍ପସ୍ ପରିଚାଳନାରେ ହୋଇଥିବା କଥିତ ଅନିୟମିତତା ଓ ଦୁର୍ନୀତିର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଥିଲେ। ଉପଖଣ୍ଡ ସହକାରୀ ସମିତି ନିବନ୍ଧକ ନିହାର ରଞ୍ଜନ ମିଶ୍ର ଏହି ଘଟଣାର ତଦନ୍ତ କରି ଚାଷୀ ଓ ସଦସ୍ୟମାନଙ୍କ ଅଭିଯୋଗ ଶୁଣିବା ସହ ସମ୍ପୃକ୍ତ କାଗଜପତ୍ର ଓ ରେକର୍ଡ ଯାଞ୍ଚ କରିଥିଲେ। ଅଭିଯୋଗରେ ଦୁର୍ନୀତି କିମ୍ବା ଅନିୟମିତତା ପ୍ରମାଣିତ ହେଲେ ସାହାରପଡ଼ା ଲ୍ୟାମ୍ପସ୍ର ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ ଯଥାଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତଦନ୍ତ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ଚାଷୀମାନେ କହିଛନ୍ତି ।ତଦନ୍ତ ପରେ ଉପଲବ୍ଧ ଦସ୍ତାବିଜ, ରେକର୍ଡ ଓ ଅଭିଯୋଗର ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏହି ତଦନ୍ତ ପରେ ସାହାରପଡ଼ା ଲ୍ୟାମ୍ପସ୍କୁ ନେଇ ଚାଷୀମାନଙ୍କ ଅଭିଯୋଗର ସମାଧାନ ହେବ କି ନାହିଁ ଏବଂ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର। ଏହି ତଦନ୍ତ ସମୟରେ ପୂର୍ବତନ ରାଜ୍ୟ କଂଗ୍ରେସ କମିଟି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ପୂର୍ବତନ ବ୍ଲକ ଅଧକ୍ଷ ଦୀପକ ରାଜ, ବରିଷ୍ଠ କଂଗ୍ରେସ ନେତା କୈଳାଶ ଚନ୍ଦ୍ର ବାରିକ, ମୁକୁନ୍ଦ ଚନ୍ଦ୍ର ମହାନ୍ତ, ପୂର୍ବତନ ବ୍ଲକ ଅଧକ୍ଷ ଗୌତ୍ତମ ନାଏକ , ଗଣ୍ଡବେଡା ସରପଞ୍ଚ ଚପଳ ଚାନ୍ଦ ରଣସିଂହ, ମହେନ୍ଦ୍ର ମହାନ୍ତ,ଚକ୍ରଧର ମହାନ୍ତ ,ମନରଞ୍ଜନ ଦିଗାର ,ଚିତ୍ତରଞ୍ଜନ ତରେଇ, ହେମନ୍ତ ମହାନ୍ତ ଉପସ୍ଥିତ ଥିଲେ l
