ଭିଜିଲାନ୍ସ ପଞ୍ଜା ରେ ଆର ଆଇ: ଜମି ପଟ୍ଟା ନାମଜାରୀ ପାଇଁ ୫୦୦୦ ନେଉଥିଲେ ଲାଞ୍ଚ
ସୋର/ଖଇରା(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଭିଜିଲାନ୍ସ ପଞ୍ଜା ରେ ତୁଡିଗଡିଆ ଆର ଆଇ। ଜମି ପଟ୍ଟା ନାମଜାରି ପାଇଁ ଲାଞ୍ଚ ନେବା ହେଲା କାଳ,୫୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ , ରାଜସ୍ବ ନିରୀକ୍ଷକ ଗିରଫ। ଖବର ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନରେ ଥିବା ତୁଡିଗଡିଆ ରାଜସ୍ୱ ନିରୀକ୍ଷକ ଶରତ କୁମାର ସେଠୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆବେଦନକାରୀଙ୍କ ଜେଜେ ବାପାଙ୍କ ସପକ୍ଷରେ ଜମି ପଟ୍ଟା ପ୍ରଦାନ କରିବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଆବେଦନକାରୀଙ୍କ ଜମି ପଟ୍ଟା ହାସଲ କରିବା ପାଇଁ ତାଙ୍କ ପୈତୃକ ଜମିର ମ୍ୟୁଟେସନ୍ ପାଇଁ ଆବେଦନ କରିଥିଲେ। କିନ୍ତୁ ଆରଆଇ ଶରତ କୁମାର ସେଠୀ କୌଣସି କାରଣ ନ ଥାଇ ପଟା ଦେବାକୁ ବିଳମ୍ବ କରୁଥିଲେ। ଏ ନେଇ ଆବେଦନକାରୀ ରାଜସ୍ବ ନିରୀକ୍ଷକଙ୍କୁ ପଚାରିବାରୁ ଆରଆଇ ଜଣକ ମ୍ୟୁଟେସନ୍ ପାଇଁ ୫୦୦୦ ଟଙ୍କା ଦାବି କରିଥିଲେ। ମାତ୍ର ଏହା ଦେବା ପାଇଁ ଆବେଦନକାରୀ ଅରାଜି ହେବାରୁ ଆରଆଇ ଜଣକ ଜାଣିଶୁଣି ବିଳମ୍ବ କରିଥିଲେ। ଏଥିରେ ଅତିଷ୍ଠ ହୋଇ ଆବେଦନକାରୀ ଜଣଙ୍କ ବାଲେଶ୍ଵର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଆଜି ବାଲେଶ୍ଵର ଜିଲ୍ଲା ଭିଜିଲାନ୍ସ ପକ୍ଷରୁ ଆରଆଇ ଶରତ କୁମାର ସେଠୀ ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଟିମ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରୁ ତାଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତ ଶ୍ରୀ ସେଠୀଙ୍କ ଠାରୁ ଲାଞ୍ଚ ୫୦୦୦ ଟଙ୍କା ଉଦ୍ଧାର କରିବା ସହ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।
