*ବିଦ୍ୟାଳୟରେ ସ୍ଥାୟୀ ଶ୍ରେଣୀ ଗୃହ ନିର୍ମାଣ କେବେ?
*ଶିକ୍ଷକ ପଦବୀ ପୂରଣ ଦାବି
ହରଭଙ୍ଗା, (କୃଷ୍ଣଚନ୍ଦ୍ର ସିଂହ): ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟ ଭାରତ ସ୍ୱାଧୀନ ହେବାର ୭୮ବର୍ଷ ପୂର୍ବେ ଅର୍ଥାତ ୦୧ ଅକ୍ଟୋବର ୧୮୬୯ ମସିହାରେ ଝାଟିମାଟି ଘରେ ସ୍ଥାପିତ ହୋଇଥିଲା l ଦୁର୍ଭାଗ୍ୟର ବିଷୟ ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଟିଣ ଚଦର ନିର୍ମିତ ଶ୍ରେଣୀଗୃହରେ ବିତୁଛି ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଠ୍ୟ ଜୀବନ l ହରଭଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧ମ ଶ୍ରେଣୀ ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ମାତ୍ର ୨ଟି ସ୍ଥାୟୀ(ଛାତ ଘର) ଶ୍ରେଣୀଗୃହ ନିର୍ମିତ ହୋଇଛି l ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀଗୃହ ଛାତର ମରାମତି ଅଭାବରୁ ବର୍ଷା ପାଣି ଗଳୁଥିବା ଯୋଗୁଁ ବର୍ଷା ଋତୁରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବର୍ଷା ପାଣିରେ ଓଦା ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଆକସ୍ମିକ ଦୁର୍ଘଟଣାକୁ ଏଡାଇ ଦିଆଯାଇ ନପାରେ l ଗ୍ରୀଷ୍ମ ଋତୁରେ ଅର୍ଥାତ ମାର୍ଚ୍ଚ ଏବଂ ଏପ୍ରିଲ ମାସ ରୌଦ୍ର ତାପର ପ୍ରକୋପରେ ଝାଳନାଳ ହେଉଛନ୍ତି l ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ବାରମ୍ବାର ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିବା ବେଳେ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି l ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଯୁଦ୍ଧକାଳୀନଭିତ୍ତିରେ ହରଭଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ତଥା ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ସାଧାରଣରେ ଦାବି ହେଉଛି l
