
ଭବାନୀପାଟଣା, ( ) ଶିଶୁମାନେ ସବୁବେଳେ ଅନୁକରଣ ପ୍ରିୟ ତେଣୁ ସେମାନଙ୍କ ମନକୁ ଛୁଇଁଲା ଭଳି ଏଭଳି ପରିବେଶ ସୃଷ୍ଟି କରନ୍ତୁ ଯାହା ସେମାନଙ୍କୁ ଅଧିକ ଆକୃଷ୍ଟ କରିପାରିବ। ସବୁବେଳେ ସେମାନଙ୍କ ଭୁଲ୍ ନ ବାଛି ସେ କରୁଥିବା କାମର ଭଲମନ୍ଦ ଫଳ ବିଷୟରେ ତାଙ୍କୁ ବୁଝେଇବାକୁ ଅଭ୍ୟାସ କରନ୍ତୁ।ପିଲାଟି ଦିନରୁ ଡାକ୍ତର ଇଞ୍ଜିନିୟର ହେବାର ଆକାଙ୍କ୍ଷା ତାଙ୍କ ମନ ଭିତର ନ ପୂରାଇ ଜଣେ ଭଲ ମଣିଷ ହେବାର ସ୍ୱପ୍ନ ଦେଖାନ୍ତୁ ବୋଲି ଭବାନୀପାଟଣାର ଜଗନ୍ନାଥ ମନ୍ଦିର ପଡାରେ ଥିବା “ଫନ୍ ଏନ୍ ଲର୍ଣ୍ଣ ପ୍ଲେ ସ୍କୁଲ” ର ୧୭ ତମ ବାର୍ଷିକ ଉତ୍ସବରେ ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। ଏକ ମନୋଜ୍ଞ ପରିବେଶ ମଧ୍ୟରେ ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରବୀଣା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଏଡିଏମ୍ ତନ୍ମୟ କୁମାର ଦରୱ।ନ୍ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସହକାରୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ. ଉମେଶ ଚନ୍ଦ୍ର ଶତପଥୀ ଉପସ୍ଥିତ ଥିଲେ। ଛୋଟଛୋଟ ପିଲାମାନଙ୍କ ଅଳି ଅର୍ଦ୍ଦଳିକୁ ଠିକ୍ ରୂପେ ଅଧ୍ୟୟନ କରି ସେମାନଙ୍କୁ ଆତ୍ମୀୟତାର ସହ ବୁଝାଇ ପାରିଲେ ହିଁ ସେମାନେ ତାହାକୁ ସହଜରେ ଗ୍ରହଣ କରିପାରିବେ ବୋଲି ଉପସ୍ଥିତ ଅତିଥିମାନେ ମତ ଦେବା ସହ ପିଲାମାନଙ୍କୁ ସବୁବେଳେ ସାଧାରଣ ଜୀବନଯାପନର ଶୈଳୀ ଓ ଉଚ୍ଚ ଆକାଙ୍କ୍ଷାର ସ୍ୱପ୍ନ ସହ ଯୋଡି ରଖିବା ଉଚିତ ବୋଲି ପ୍ରକାଶ କରିଥିଲେ। ଶିକ୍ଷୟିତ୍ରୀ ସୁନେମିୟା ଜାଲ (ଗ୍ଲାଡି) ସ୍ୱାଗତ ଭାଷଣ ଦେବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରିନ୍ସପାଲ୍ ପ୍ରବୀଣା ମିଶ୍ର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।ପରେପରେ ବିଦ୍ୟାଳୟର କୁନିକୁନି ପିଲାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିଶୁ କଳାକାରମାନେ ଭଳିକି ଭଳି ରଙ୍ଗୀନ ବେଶଭୂଷା ପିନ୍ଧି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଅତିଥି, ଅବିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି ବିଭୋର କରି ରଖିଥିଲେ।ନିଜ ନିଜ ଛୋଟ ପିଲାମାନଙ୍କ ମଧ୍ୟରେ ଏଭଳି ଅଭୂତପୂର୍ବ ପ୍ରତିଭା ଯେ ଲୁଚି ରହିଛି ତାହା ଅବିଭାବକମାନେ ସହଜରେ ବିଶ୍ୱାସ କରିପାରୁନଥିଲେ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସାଜିଆ ନାଜ୍, ଅନୁରାଧା ବିଶ୍ୱାଳ, ରେଖା ରଣା ଓ ଚିନ୍ମୟୀ ଦାଶ ପରିଚାଳନା କରିଥିଲାବେଳେ ଶିକ୍ଷୟିତ୍ରୀ କମଳିନୀ ପୁରୋହିତ, ଇତିଶ୍ରୀ କର ଓ ମୀନା ପଟ୍ଟନାୟକ ପ୍ରମୁଖ ସେମାନଙ୍କୁ ସହଯୋଗ କରିଥିଲେ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ମିସ୍ ଗ୍ଲାଡି।