
କେନ୍ଦ୍ରାପଡା : ( ମହିଳା ଦିବସ ଅବସରରେ ମାର୍ଶାଘାଇ ବ୍ଲକ ଅନ୍ଜେଇ ଗ୍ରାମ ପଞ୍ଚାୟତ ସଭାଗୃହରେ ପଞ୍ଚାୟତ ସ୍ତରୀୟ ମହିଳା ସଭା ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ଯୁବସରପଞ୍ଚ ସଂଜୟ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କ ମନୋବଳ ବୃଦ୍ଧି , ସମାନ ଅଧିକାର, ବିକାଶ, ସଶକ୍ତ ଓ ସାମାଜିକ ସୁରକ୍ଷା ଉପରେ ଅଗ୍ରାଧିକାର ଦିଆଯିବା ନେଇ ମତପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି ପ୍ରଶିକ୍ଷକ ନାରାୟଣ ଜେନା ଯୋଗଦେଇ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତା ପାଇଥିବା ମହିୟସୀ ମହିଳା ମାନଙ୍କ ଉଦାହରଣ ଦେଇ ମହିଳା ଦିବସକୁ ଜୋରଦାର ଭାବେ ପାଳନ କରିବା ତଥା ମହିଳାଙ୍କ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି ପାଇଁ ଗୁରୁତ୍ବାରୋପ କରିଥିଲେ।
ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢ଼ିଲେଣି । ନାରୀ ଏକ ଶକ୍ତି, ଏକ ସ୍ନେହମୟୀ ହୃଦୟ, ଏକ ସ୍ଵପ୍ନ ସାକାର କରିବାର ଅତୁଟ ସାମର୍ଥ୍ୟ । ସେ ଜୀବନର ନିର୍ମାତ୍ରୀ, ପରିବାରର ଆଧାରସ୍ଥମ୍ଭ, ଏବଂ ସମାଜର ଅଙ୍ଗସ୍ଵରୂପ । ନାରୀ ମାତ୍ର ଏକ ସଂଜ୍ଞା ନୁହେଁ, ସେ ହେଉଛି ଆଦର୍ଶ, ଭଲପାଇବା ଏବଂ ସଂଘର୍ଷର ଚିହ୍ନ । ସେ ଏକ ସୁନ୍ଦର ନିମାର୍ଣ୍ୟ, ଯେଉଁଥିରେ ଦୟା, ସହନଶୀଳତା, ଏବଂ ଅସୀମ ଶକ୍ତି ମିଶିଥାଏ । ତଥାପି, ସେ କେବଳ ଘରର ଦୀପ୍ତି ନୁହେଁ ସେ ସମସ୍ତଙ୍କ ପାଇଁ ସାଜେ ଆଲୋକମୟୀ ଧାରା । ନାରୀ ମାନଙ୍କର ସମ୍ମାନ, ସ୍ଵାଧୀନତା ଏବଂ ସମାନ ଅଧିକାର ଏକ ସୁସଂଘଠିତ ଏବଂ ସୁନ୍ଦର ଭବିଷ୍ୟତ ଗଠନ କରିପାରେ ବୋଲି ସରପଞ୍ଚ ସଂଜୟ କୁମାର ସେଠୀ କହିବା ସହ ଅନ୍ତେଇ ପଞ୍ଚାୟତରେ ମହିଳା, ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ସାମାଜିକ ସୁରକ୍ଷା ପ୍ରତି ବିଶେଷ ଯତ୍ନ ନିଆଯିବା ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଗ୍ରାମ ପଞ୍ଚାୟତର ମହିଳାମାନଙ୍କୁ ଏକାଠି କରି ସେମାନଙ୍କୁ ସଶକ୍ତ ଓ ସ୍ବାବଲମ୍ବି କରିବା ପାଇଁ ପ୍ରୟାସରତ ପଞ୍ଚାୟତ ଜିପିଏଲଏଫ୍ ସଭାପତି ଜୟଶ୍ରୀ ପରିଡାଙ୍କୁ ସମ୍ମାନିତ କରାଯାଇଥିଲା। ନାଏବ ସରପଞ୍ଚ ଲିସିନା ମହାପାତ୍ର, ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ବିଜୟ କୁମାର ଜେନା, ଏଡିଇଓ ରୋଜାଲିନ ଓଝା ପ୍ରମୁଖ ସଭାମଞ୍ଚରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସିଆରପି, ଏସଏଚଜି ଗୃପ୍ ସଭାପତି, ସଂପାଦିକାଙ୍କ ସହ ଶତାଧିକ ମହିଳା ଉପସ୍ଥିତ ଥିଲେ। ବରିଷ୍ଠ ଓ୍ବାର୍ଡ ସଭ୍ୟ ସୁବୋଧ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।