ସୋର ଗୋଶାଳାର ୧୦୧ତମ ଗୋଷ୍ଠାଷ୍ଟମୀ ପାଳିତ
ସୋର,(, ଜ୍ୟୋତିପ୍ରକାଶ ନିପ୍ର: ଭଞ୍ଜଦୂତ) – ୧୯୨୪ ମସିହାରେ ସ୍ଥାପିତ ଓଡ଼ିଶାର ସର୍ବପୁରାତନ ସୋର ଗୋଶାଳର୧୦୧ତମ ଗୋଷ୍ଠାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ ହୋଇଛି । ପୂର୍ବାହ୍ନରେ ସତ୍ୟସାଇ ସେବା ସମିତି ସୋରର ପରିଚାଳକ ଭଗବାନ ମହାପାତ୍ରଙ୍କ ନେତୃତ୍ୱରେ ସଂଗଠନର ପିଲାମାନେ ‘ରୁଦ୍ରାର୍ପିତମ୍’ କାର୍ଯ୍ୟକ୍ରମରେ ୩ ଘଣ୍ଟା ଧରି ବେଦପାଠ କରିଥିଲେ । ଗୋପାଳ ମୂର୍ତ୍ତି ପୂଜନ ଓ ଗୋ ପୂଜନ ମଧ୍ୟ କରାଯାଇଥିଲା । ନୂତନ ଦୋକାନ ଗୃହ ନିର୍ମାଣ ନିମିତ୍ତି ଭୂମିପୂଜନ କରାଯାଇଛି ।
ସାନ୍ଧ୍ୟ ଅଧିବେଶନରେ ଏକ ସାଧାରଣସଭା ଗୋଶାଳାର ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ପଦ୍ମଲୋଚନ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ଅବସରପ୍ରାପ୍ତ ପ୍ରଫେସର ଡା. ଶ୍ରୀକାନ୍ତ ପଣ୍ଡା ଓ ପୂର୍ବତନ ମୁଖ୍ୟ ପଞ୍ଚକର୍ମ ବିଭାଗ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ, ପୁରୀର ଡ. ଦେବପ୍ରସାଦ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶାରୀରିକ, ମାନସିକ ଓ ଆତ୍ମିକ ସୁସ୍ଥତାରେ ପଞ୍ଚକର୍ମର ଉପଯୋଗିତା ଉପରେ ବିଶଦ ଆଲୋଚନା କରିଥିଲେ । ସୋର ତହସିଲଦାର ଦୈତାରି ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂପ୍ରତିକ ସମାଜରେ ଗୋସଂପଦ ପ୍ରତି ବଢ଼ୁଥିବା ବିମୁଖ ଭାବ ଉପରେ ଆଲୋକପାତ କରିବା ସହିତ ପଂଚଗବ୍ୟ ଓ ପଂଚାମୃତ ଜୀବନ ଚର୍ଯ୍ୟାରେ କିଭଳି ଆବଶ୍ୟକତା ରହିଛି ସେ ସମ୍ପର୍କରେ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଗୋସଂପଦର ସୁରକ୍ଷା ନିମିତ୍ତ ନିବେଦନ କରିଥିଲେ ଗୋଶାଳାର ସଂପାଦକ ଡମ୍ବରୁଧର ନାୟକ ବାର୍ଷିକ ବିବରଣୀ ପାଠ କରିିଥିଲେ । ଚଳିତ ବର୍ଷ ଗୋଶାଳା ପରିସରରେ ପ୍ରଥମ କରି ତୁଳା ଦାନ ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଲ୍ଲୀପୁର, ପାଖର ଗ୍ରାମ ନିବାସୀ ଜୟଦେବ ପଣ୍ଡା ଓ ରୁଷୋ ଗ୍ରାମ ନିବାସୀ ସନାତନ ଯଶମୁଖ ଗୋସେବକ ଦ୍ୱୟଙ୍କୁ ମାନପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ତ୍ରିବେଣୀ କଳା କେନ୍ଦ୍ର, ସୋରର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାରାଣୀ ନାୟକଙ୍କ ନେତୃତ୍ୱରେ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସଦସ୍ୟା ଶ୍ରୀମତୀ ଭାରତୀ ମହାନ୍ତି ଗୋମାହାତ୍ମ୍ୟ ଗାନ କରିଥିଲେ । ଉପସଭାପତି ଦାମୋଦର ଦାଶ ମହାପାତ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିିଥିଲେ । କାଦମ୍ବିନୀ ପାଣିଗ୍ରାହୀ ଗୀତାପାଠ କରିଥିଲେ । ଗୋଶାଳା କୋଷାଧ୍ୟକ୍ଷ ପଦ୍ମଲୋଚନ ସାହୁ ଅନୁଷ୍ଠାନର ଆୟ-ବ୍ୟୟ ବିବରଣୀ ଉପସ୍ଥାପନ କରିଥବା ବେଳେ ଉଦ୍ଧବ ଚରଣ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
