ବାତ୍ୟା ମୋନ୍ଥା ପ୍ରଭାବରେ ଜଳମଗ୍ନ ଅଞ୍ଚଳ ରୁ ଜଳ ନିଷ୍କାସନ ସମସ୍ୟାର ସମାଧାନ କଲେ ସୋର ତହସିଲଦାର
ସୋର(ଭଞ୍ଜଦୂତ, ନିପ୍ର):: ବାତ୍ୟା ମୋନ୍ଥାର ପ୍ରଭାବ ସୋରରେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା କାରଣରୁ ସୋର ପୌରପାଳିକାର ବିଭିନ୍ନ ସ୍ଥାନରେ ପାଣି ଜମିବା ସମେତ ଅନେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଥିବା ଦେଖିବକୁ ମିଳିଛି। ସେହିପରି ସୋର ପୌରପାଳିକା ୦୧ ନଂ ୱାର୍ଡ଼ ଅନ୍ତର୍ଗତ ମାଟିଆପଲା ଛକ ନିକଟରେ ରହୁଥିବା ୧୦ରୁ ଅଧିକ ପରିବାର ଏହି ପାଣି ବୁଡିବା କାରଣରୁ ଜଳମଗ୍ନ ଅବସ୍ଥାରେ ଥିଲେ। ଏନେଇ ସକାଳେ ବହୁ ସଂଖ୍ୟାରେ ଲୋକେ ସୋର ତହସିଲଦାର ଦୈତାରୀ ମଲ୍ଲିକଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ତହସିଲଦାର ଶ୍ରୀ ମଲିକ,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ପ୍ରଧାନ ଓ ସ୍ଥାନୀୟ କାଉନସିଲରଙ୍କ ଉପସ୍ଥିତିରେ ନାଳ ଚିରାଯାଇ ପାଣି ନିଷ୍କାସନର ବ୍ୟବସ୍ଥା କରିଥିଲେ। ଉକ୍ତ ଜାଗାରେ ଜନୈକ ବ୍ୟକ୍ତି ଘର ର ରାସ୍ତା କରିବା ପାଇଁ ଗତ କିଛି ଦିନ ତଳେ ମାଟି ପକାଇବା ଦ୍ୱାରା ପାଣି ନିଷ୍କାସନ ମୁହଁ ବନ୍ଦ ହୋଇଯାଇଥିଲା ।ଯାହା ଦ୍ୱାରା ସମ୍ପୃକ୍ତ ପରିବାର ଜଳମଗ୍ନରେ ରହିଯାଇଥିଲେ। ଆଗାମୀ ଦିନରେ ଲୋକଙ୍କ ସ୍ୱାର୍ଥ ସହ ଜଡ଼ିତ ସମସ୍ତ ପ୍ରକାର ଅବରୋଧକୁ ଉଛେଦ କରାଯିବ ବୋଲି ତହସିଲଦାର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।
