ବାଗୁଡ଼ି ଖାଦାନରେ ତହସିଲ ଓ ଖଣି ବିଭାଗ ର ମିଳିତ ଚଢ଼ାଉ : ବିପୁଳ ପଥର ଜବତ ପରେ ନିଲାମ
ସୋର(ଭଞ୍ଜଦୂତ, ନିପ୍ର): ସୋର ବାଗୁଡ଼ି ଖାଞ୍ଜାମାହାଲ ପହାଡ ର ପଥର ଚୋରିରେ ବ୍ରେକ ଲାଗୁନି। ପ୍ରତ୍ୟେକଦିନ ତହସିଲ ଓ ଖଣି ବିଭାଗ ତରଫରୁ ଗାଡି ଜବତ ହେଉଅଛି, ତଥାପି ପ୍ରଶାସନ ର ଆଢ଼ୁଆଳରେ ଚାଳିଛି ଚୋରା କାରବାର। ଆଜି ପୁନର୍ବାର ସୋର ତହସିଲ ଓ ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ବାଗୁଡି ପଥର ଖାଦାନରେ ଚଢ଼ାଉ କରାଯାଇ ଜବତ ପଥରକୁ ନିଲାମ ଡକାଯାଇଥିବା ଜଣାପଡିଛି। ମିଳିଥିବା ସୁଚନା ଅନୁସାରେ ଆଜି ଅପରାହ୍ଣରେ ବାଗୁଡି ପଥର ଖାଦାନରେ ବେଆଇନ ବ୍ଲାଷ୍ଟିଂ ହୋଇଥିବା ଖବର ପାଇ ସୋର ତହସିଲଦାର ଦୈତାରୀ ମଳ୍ଲିକ ଓ ବାଲେଶ୍ୱର କନିଷ୍ଠ ଖଣି ଅଧିକାରୀ ଖାଦାନରେ ଚଢ଼ାଉ କରିଥିଲେ। ପରେ ବନ୍ଦ ପଡିଥିବା ୬୦ ନମ୍ବର କ୍ୱାରୀରୁ ବିପୁଳ ପଥର ଜବତ କରି ଏହାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିଲାମ ଡକାଯାଇଥିଲା। ଶେଷରେ ୩ ଲକ୍ଷ ୭୫ ହଜାରରେ ଜବତ ପଥରକୁ ନିଲାମ ଦିଆଯାଇଥିଲା।
