ଡେଲାଙ୍ଗରେ ଅଜଣା ରୋଗରେ ଧାନଚାଷ କ୍ଷତିଗ୍ରସ୍ତ
ଖବର ପ୍ରସାରଣ ପରେ ଜିଲ୍ଲା କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ
ଡେଲାଙ୍ଗ ( ସ୍ଵ.ପ୍ର)ଚଳିତ ଖରିଫ ଋତୁରେ ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ଧାନ ଚାଷ ଅଜଣା ରୋଗରେ କ୍ଷତିଗ୍ରସ୍ତ ହୋଇଥିବା ନେଇ ବିଭିନ୍ନ ଖବର କାଗଜ ରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ଡେଲାଙ୍ଗ ଅଂଚଳକୁ ମଙ୍ଗଳବାର ସାକ୍ଷୀଗୋପାଳ କୃଷି ଜିଲ୍ଲା ଅଧିକାରୀ ଡ଼ଃ ପରେଶ କୁମାର ପଣ୍ଡା, ଡେଲାଙ୍ଗ ସହକାରୀ କୃଷି ଅଧିକାରୀ ମନୋଜ କୁମାର ବାରିକ, ବୈଷୟିକ ପରିଚାଳକ ଜ୍ଞାନରଞ୍ଜନ ହରିଚନ୍ଦନ ପ୍ରମୁଖ ସର୍ବାଧିକ କ୍ଷତିଗ୍ରସ୍ତ ଅଂଚଳ ମୁନିନ୍ଦା ଓ ଡେଲାଙ୍ଗ-କୋଠବାଡ଼ ପଂଚାୟତ ର କ୍ଷତିଗ୍ରସ୍ତ ଧାନଜମି ନିକଟରେ ପହଂଚି କ୍ଷେତ୍ରୀୟ ଅନୁଧ୍ୟାନ କରିଛନ୍ତି | ନୀଳାଚଳ କୃଷକ ମହାସଂଘ ଉପ ସଭାପତି ପ୍ରକାଶ କୁମାର ରାୟ, ମୁନିନ୍ଦା ପଂଚାୟତ ସଭାପତି ଉଲ୍ଲାସ ଚନ୍ଦ୍ର ନାୟକ, ପଂଚାୟତ ପ୍ରମୁଖ ଅଶୋକ କୁମାର ପ୍ରଧାନଙ୍କ ସମେତ ୫୦ ରୁ ଉର୍ଦ୍ଧ୍ଵ କ୍ଷତିଗ୍ରସ୍ତ ଚାଷୀ କୃଷି ଅଧିକାରୀଙ୍କୁ ଧାନଜମିରେ ରୋଗପୋକ ଉପଦ୍ରବ ସମ୍ପର୍କରେ ସ୍ଥିତି ଦେଖାଇଥିଲେ |ସେହି ଅଂଚଳରେ ବ୍ଯାପିଥିବା ରୋଗପୋକ ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି କୃଷି ଅଧିକାରୀ ଡ଼ଃ ପଣ୍ଡା ଜୈବିକ ପଦ୍ଧତିରେ କବକ ପତ୍ରପୋଡ଼ା ରୋଗ ନିୟନ୍ତ୍ରଣ, ୫୦ ପ୍ରତିଶତ ରିହାତିରେ ରାସାୟନିକ ରୋଗ ପ୍ରତିଷେଧକ ଔଷଧ ଯୋଗାଣ, କୃଷି ବୀମା ସହାୟତା ନିର୍ଧାରଣ ପାଇଁ ବୀମା କମ୍ପାନୀ ସହ ଦୂରଭାଷ ଯୋଗେ ବାର୍ତା ବିନିମୟ, ତଥା ଉପଦ୍ରବ ଅଂଚଳର ଚାଷୀମାନଙ୍କ ମଧ୍ୟରେ ରୋଗ ପୋକ ନିୟନ୍ତ୍ରଣ ସମ୍ପର୍କିତ ସଚେତନତା କର୍ମଶାଳା ଆୟୋଜନ ଆଦି କରିବା ସମ୍ପର୍କରେ ଚାଷୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି | ଡେଲାଙ୍ଗ ବ୍ଲକ ର ମୁନିନ୍ଦା, ଡେଲାଙ୍ଗ-କୋଠବାଡ଼, କଲ୍ୟାଣପୁର, ଘନିପୁର, ସାଉରିଆ, ସୁଜନପୁର, ବେରବୋଇ, କଣାସ ବ୍ଲକ ର ତ୍ରିଲୋଚନପୁର ଆଦି ପଂଚାୟତ ରେ ଏହି ପତ୍ର ପୋଡା ରୋଗ ସଂକ୍ରମିତ ହେଉଥିବାରୁ ଯୁଦ୍ଧକାଳୀନ ଭିତିରେ ନିୟନ୍ତ୍ରଣ ବ୍ୟବସ୍ଥା କରିବା ପାଇଁ ନୀଳାଚଳ କୃଷକ ମହାସଂଘ ଉପ ସଭାପତି ଶ୍ରୀ ରାୟ କୃଷି ଅଧିକାରୀଙ୍କୁ ନିବେଦନ କରିଛନ୍ତି |
