ସରିଲା ବିଲ୍ୱବରଣ ,ସପ୍ତମୀପୂଜା
ଧରାବତରଣ କଲେ ମା ଜଗତଜନନୀ
ପୂଜା ମଣ୍ଡପରେ ମା’ ଙ୍କୁ ଦର୍ଶନ କଲେ ବିଧାୟକ ଓ ସାଂସଦ
ଡେଲାଙ୍ଗ,(ନି.ପ୍ର) : ଡେଲାଙ୍ଗ ଷ୍ଟେସନ ବଜାରରେ ପ୍ରଭାତ କ୍ଲବ ପରିସରରେ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସୋମବାର ମହାସପ୍ତମୀ ତିଥିରେ ଧରାବତରଣ କରିଛନ୍ତି ମା’ ଜଗତଜନନୀ । ରବିବାର ମା’ଙ୍କ ଷଷ୍ଠୀପୂଜା ଓ ବିଲ୍ୱବରଣ ଶେଷ ହୋଇଥିବା ବେଳେ ପଞ୍ଜିକାତିଥି ଅନୁଯାୟୀ ସମସ୍ତ ସପ୍ତମୀ ପୂଜା ଶେଷ କରାଯାଇଛି । ସୋମବାର ମା’ ମଣ୍ଡପରେ ବିରାଜିବା ପୂର୍ବରୁ ଶିଳ୍ପିଙ୍କ ଅନ୍ତିମ ସର୍ଶ୍ପ ଶେଷ ହୋଇଯାଇଛି ।ଶାରଦୀୟ ଦୁର୍ଗାପୂଜା ପାଇଁ ଡେଲାଙ୍ଗ ଚଳଚଞ୍ଚଳ ହୋଇଉଠିଛି । ଚଳିତ ବର୍ଷ ବିଭିନ୍ନ ଢଙ୍ଗରେ ମଣ୍ଡପ ଗୁଡିକ ସାଜସଜା ହୋଇ ତୋରଣ ଶୋଭାପାଇଛି । ବିଭିନ୍ନ ରଙ୍ଗର ଆଲୋକମାଳାରେ ପୂଜା ମଣ୍ଡପ ଝଲସି ଉଠିଛି । ସୋମବାର ସକାଳୁ ମା’ଙ୍କ ସପ୍ତମୀ ପୂଜା ପାଇଁ ଜଳଯାତ୍ରା କରାଯାଇ ଦିନ ୧୧ଟା ପରଠାରୁ ଯଥାବିଧି ପୂଜା ଆରମ୍ଭ କରାଯାଇଥିଲା । ୧୨ ଜଣ ବ୍ରତୀ ତଥା କଳସ ଧାରୀ ଡେଲାଙ୍ଗ ହାଟ ବଜାର ସ୍ଥିତ ପ୍ରବାହିତ ଲୁଣାନଦୀରେ କଳସ ବୁଡାଇ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ମୁଖ୍ୟପୂଜକ ଭାବେ ରମାକାନ୍ତ ମିଶ୍ର ଓ ସାଥିମାନେ ପୂଜାଅର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ବିକ୍ରମ କୁମାର କାର୍ଯ୍ୟନିର୍ବାହ କରିଥିଲେ ।୧୨ଟା ପରେ ଚକ୍ଷୁଦାନ କରାଯାଇ ୨ଟା ପରଠାରୁ ମା’ଙ୍କୁ ଆରତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଇଥିଲା ।ସନ୍ଧ୍ୟାରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଡେଲାଙ୍ଗ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।କ୍ଲବର ସଭାପତି ପ୍ରଦୀପ ସ୍ୱାଇଁ, ସମ୍ପାଦକ ପଦ୍ମନାଭ ବରାଳ ପ୍ରମୁଖ ଉପସ୍ଥିତ ରହି ମା’ଙ୍କ ଯଥାବିଧି ପୂଜାର୍ଚ୍ଚନା କାଯ୍ର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।ସନ୍ଧ୍ୟାରେ ପୁରୀ ସାଂସଦ ତଥା ରଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ୍ ପାତ୍ର ଓ ସ୍ଥାନୀୟ ବିଧାୟକ ଆଶ୍ରୀତ ପଟ୍ଟନାୟକ ମା’ଙ୍କ ଦର୍ଶନ କରି କୃପାଲାଭ କରିଛନ୍ତି ।
