ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ପାଳିତ
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତି ପ୍ରକାଶ): ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସୋର ବ୍ଲକ ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ “ସୁସ୍ଥ ନାରୀ,ସଶକ୍ତ ପରିବାର”ଅଭିଯାନ ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ ଡାକ୍ତରଖାନା ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସୋର ବ୍ଲକ ଅଧ୍ୟକ୍ଷା ଅନୁସୟା ମଳିକ ଉଦଘାଟିତ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ରୋଗୀଙ୍କ ହିମୋଗ୍ଲୋବିନ, ବ୍ଲଡ ସୁଗାର, ମ୍ୟାଲେରିଆ ପ୍ରଭୃତି ସ୍ୱାସ୍ଥ୍ୟ ପରୀକ୍ଷା ସହ ବହୁ ରୋଗୀ ଚିକିତ୍ସିତ ହୋଇଥିଲେ। ପରିବାରର ସ୍ୱଚ୍ଛତା ଆଣିଲେ ସମାଜର ସ୍ୱଚ୍ଛତା ଆସିବ ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା। ମହିଳା ମାନଙ୍କ ଦ୍ୱାରା ପରିବାରର ହାଣ୍ଡିଶାଳରୁ ସ୍ୱଚ୍ଛତା ଆରମ୍ଭ ହୋଇ ତାହା ସମାଜକୁ ଏକ ବିରାଟ ରୂପାନ୍ତରିତ କରିପାରିବ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଅତିଥି ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଫକୀର ମୋହନ ମେଡିକାଲ କଲେଜର ଭେଷଜ ବିଶେଷଙ୍ଗ ଡ଼ା ଯଦୁମଣି ନାୟକ,ଶିଶୁ ରୋଗ ବିଶେଷଜ୍ଞ ଡ଼ା ଆଲୋକ ରଞ୍ଜନ ଖିଲାର,ଡା ସୁମନ୍ତ ଧଡ଼ା, ଦନ୍ତ ରୋଗ ବିଶେଷଜ୍ଞ ଡା ବିଶାଖା ନାୟକ, ଚକ୍ଷୁ ରୋଗ ବିଶେଷଜ୍ଞ ଅଭୟ କୁମାର ଦାସ, କାଉନସିଲର ଶ୍ରୁତିରେଖା ବିଶ୍ୱାଳ ବିଶେଷଜ୍ଞ ଚିକିତ୍ସକ ରହି ସୁସ୍ଥତା ଉପରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରୋଗୀ କଲ୍ୟାଣ ସମିତି ସଭ୍ୟ ତଥା ବରିଷ୍ଠ ନାଗରିକ ନିତ୍ୟାନନ୍ଦ କର, ସମାଜସେବୀ ବିରଞ୍ଚି ନାରାୟଣ ପଣ୍ଡା, ଚିତ୍ତରଞ୍ଜନ ଦାଶ, ରତ୍ନାକର ରାଉତ ଅବସରପ୍ରାପ୍ତ ଶିକ୍ଷକ ନିରାକାର ବାରିକ, ନକୁଳ ଚରଣ କର ପ୍ରମୁଖ ଉପସ୍ଥିତ ରହି ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ଶାଶ୍ୱତ ସାହୁ ନିଜ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିଚାଳନା କରିଥିଲେ।
