ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କ ହସ୍ତେ ଧାମରା ପୋର୍ଟରେ HMS ବିଶ୍ୱକର୍ମା ପୂଜା ପଣ୍ଡାଲ ଉଦ୍ଘାଟନ
ଧାମରା ପୋର୍ଟରେ ବୁଧବାର ସନ୍ଧ୍ୟାବେଳେ ହିନ୍ଦ ମଜଦୁର ସଭା (HMS) ପକ୍ଷରୁ ବିଶ୍ୱକର୍ମା ପୂଜା ପଣ୍ଡାଲର ଉଦ୍ଘାଟନ କରାଗଲା । ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କ ହସ୍ତେ ସମ୍ପନ୍ନ ହୋଇଥିଲା । ଏହାର ଆୟୋଜନ କରିଥିଲେ ଶ୍ରମିକ ସଂଘ ଓ ଧାମରା ପୋର୍ଟ ଇଞ୍ଜିନିଅର୍ ସଂଘ । ଅବସରରେ ସାଂସଦ ସେଠୀ କହିଥିଲେ, “ହିନ୍ଦ ମଜଦୁର ସଭା କୌଣସି ରାଜନୈତିକ ଦଳ ସହିତ ସଂପୃକ୍ତ ନୁହେଁ । ସଭାର ପ୍ରଧାନ ଲକ୍ଷ୍ୟ ହେଉଛି ଶ୍ରମିକଙ୍କ ଅଧିକାର, ନ୍ୟାୟ ଓ ହିତ ସୁରକ୍ଷା କରିବା । ସରକାରୀ ନିୟମ ଓ ପ୍ରବନ୍ଧକୁ ମାନି ଶ୍ରମିକଙ୍କ ପକ୍ଷରେ ସଦା ସ୍ୱର ଉତ୍ତୋଳନ କରିବାରେ HMS ସକ୍ରିୟ ଅଟେ ।” ସେ ଅଧିକ କହିଥିଲେ, “ଏହି ପ୍ରକାରର ସାମୁହିକ ପୂଜା ପଣ୍ଡାଲ ଆୟୋଜନ କରିବା ଶ୍ରମିକ ଓ ଇଞ୍ଜିନିଅରମାନଙ୍କ ସମ୍ମିଳିତ ପ୍ରୟାସର ଫଳ । ଏହା ମାଧ୍ୟମରେ ସମ୍ମିଳନ, ସମ୍ମାନ ଓ ସାମୁହିକତାର ପ୍ରତିକ ଦେଖାଯାଉଛି ।” ସାଂସଦ ସେଠୀ, ଏହି ପ୍ରୟାସ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ହିନ୍ଦ ମଜଦୁର ସଭାର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ସ୍ୱାଇନ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପଣ୍ଡାଲ ଉଦ୍ଘାଟନ ପରେ ସଭାପତି ଏବଂ ସଦସ୍ୟମାନେ ମଧ୍ୟ HMS-ର କାର୍ଯ୍ୟ, ଉଦ୍ଦେଶ୍ୟ ଓ ଶ୍ରମିକଙ୍କ ପାଇଁ ସଭାର ସେବା ବିଷୟରେ ଅଲୋଚନା କରିଥିଲେ ।
