ରାଜବୋଡାସମ୍ବର୍ ବ୍ଲକରେ ‘ବିକାଶ ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଶୁଭାରମ୍ଭ
ବରଗଡ :ପଦ୍ମପୁର, ୧୯.୦୬.(ନି ପ୍ର )ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜବୋଡାସମ୍ବର୍ ବ୍ଲକ କାର୍ଯ୍ୟାଳୟରେ ବ୍ଲକସ୍ତରୀୟ ‘ବିକାଶ ର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ପରିସରରେ କାର୍ଯ୍ୟକ୍ରମର ଉଦଘାଟନ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାଂସଦ ପ୍ରତିନିଧି ନିରାକାର ବରିହା,ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ରଞ୍ଜିତ୍ ସିଂହ ବରିହା, ଉପ-ଅଧ୍ୟକ୍ଷା ସଂଯୁକ୍ତା ଚାନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ଵଜ ବଗାର, ସରସ୍ୱତୀ ସାହୁ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ପଦ୍ମପୁରର ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ସଞ୍ଜୟ ଲେଙ୍କା ଯୋଗଦେଇ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ୫,୦୦୦ ଟଙ୍କାର ଏକକାଳୀନ ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିବା ‘ଶହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ ଏବଂ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ‘ପ୍ରି-ମାଟ୍ରିକ୍ ଓ ପୋଷ୍ଟ-ମାଟ୍ରିକ୍ ସ୍କଲାରସିପ୍’ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏତଦ୍ବ୍ୟତୀତ, ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଇଁ ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା’ ଓ ‘ଧର୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’, କ୍ଷୁଦ୍ର ବନଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରୁଥିବା ‘ଲାଭା’ ଯୋଜନା ସହିତ ବ୍ୟକ୍ତିଗତ ଓ ସାମୁଦାୟିକ ଋଣ ଏବଂ ଆନ୍ତଃଜାତି ବିବାହ ପ୍ରୋତ୍ସାହନ ପାଇଁ କରାଯାଇଥିବା ସମସ୍ତ ସୁବିଧା ବିଷୟରେ ସଚେତନତା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମର ଶେଷରେ, ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ରାଶିର ଚେକ୍ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ଅତିଥିମାନେ ସରକାରୀ ଯୋଜନାଗୁଡ଼ିକର ସୁଫଳ ଯେପରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ସେମାନେ ଚେଷ୍ଟିତ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ କର୍ମଚାରୀ, ବିଭିନ୍ନ ଗ୍ରାମ ପଞ୍ଚାୟତର ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଉପସ୍ଥିତ ଥିଲେ।
