- ରେଳ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ପରେ ୨୩ ତାରିଖ ରେଳରୋକକୁ ପ୍ରତ୍ୟାହାର କଲା ସୋର ନାଗରିକ ମଞ୍ଚ ।
ସୋର(ଭଞ୍ଜଦୂତ, ନିପ୍ର): ଆଜି ଅପରାହ୍ଣରେ ସୋର ଷ୍ଟେସନରେ ଖଡ଼ଗପୁର ଡିଭିଜନ ଆସିଷ୍ଟାଣ୍ଟ କମରସିଆଲ ମ୍ୟାନେଜର ଆଶୁତୋଷ କୁମାର ସିହଙ୍କ ସହିତ ସୋର ନାଗରିକ ମଞ୍ଚର ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୩ ତାରିଖରେ ସୋର ନାଗରିକ ମଞ୍ଚ ତରଫରୁ ଦିଆଯାଇଥିବା ରେଳରୋକ ଆହ୍ୱାନ ସଂପର୍କରେ ଥିବା ଦାବିଗୁଡ଼ିକ ଉପରେ ଆଲୋଚିତ ହୋଇଥିଲା। ସୋର ଷ୍ଟେସନରେ ଅତ୍ୟାବଶ୍ୟକ ହୋଇପଡ଼ିଥିବା କୋଚ୍ ଇଣ୍ଡିକେଟର , ଅନୁସନ୍ଧାନ କାଉଣ୍ଟର, ଦ୍ୱିତୀୟ ଫୁଟ୍ ଓଭରବ୍ରିଜ୍ ସହିତ ଲିପ୍ଟ, ଡିସ୍ପ୍ଲେବୋର୍ଡ, ପୂର୍ବପାଖ ୫ନମ୍ବର ପ୍ଲାଟଫର୍ମକୁ ଯାତାୟାତ ପାଇଁ ରାସ୍ତା ଏବଂ ନନ୍ଦନକାନନ ଏକ୍ସପ୍ରେସ, ଶାଲିମାର-ଚେନାଇ, ପୁରୁଲିଆ-ଭିଲୋପୁରମ୍, ଖଡ଼ଗପୁର- ଭିଲୋପୁରମ୍, ହାୱଡ଼ା-ମହୀଶୂର ଟ୍ର୍ରେନ ସୋରରେ ରହଣି ପାଇଁ ଦାବିରେ ଆଲୋଚନା କରାଯାଇଥିଲା। ଦାବିଗୁଡ଼ିକ ଯଥାର୍ଥ ବୋଲି ଉପସ୍ଥିତ ଅଧିକାରୀମାନେ ଉପଲଵଧ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିବା ସହିତ ରେଳରୋକ ପ୍ରତ୍ୟାହାର କରିବାକୁ ଅନୁରୋଧ ଦେବାପରେ ନାଗରିକ ମଞ୍ଚ ତରଫରୁ ୨୩ ତାରିଖ ରୋଳରୋକକୁ ସ୍ଥଗିତ ରଖାଯାଇଥିବା ପାଇଁ ନାଗରିକ ମଞ୍ଚ ସଭାପତି ନେତ୍ରାନନ୍ଦ ରାଉତ ସୂଚନା ଦେଇଛନ୍ତି। ଏହି ଆଲୋଚନାରେ ସଂପାଦକ ଉଦ୍ଧବ ଚରଣ ବିଶ୍ୱାଳ, ମାୟାଧର ନାୟକ, ନବ କିଶୋର ଦାସ, ରବିନାରାୟଣ ଉପାଧ୍ୟାୟ, ପଞ୍ଚାନନ ଶିଅଳ, ଅନାମ ଚରଣ ବାରିକ, ଶରତ ଚନ୍ଦ୍ର ମହାନ୍ତି, ବାସୁକୃଷ୍ଣ ମହାପାତ୍ର , ଦାମୋଦର ଦାଶ ମହାପାତ୍ର, ରାଜାରାଣୀ ଜେନା, ମନୋଜ ରାୟ, ପ୍ରଦୀପ ଦାଶ, କମରସିଆଲ ଇନସପେକ୍ଟର ସାହାବୁଦ୍ଦିନ ସାହା, ଷ୍ଟେସନ ମ୍ୟାନେଜର ବିଜୟ ମହାଳିକ ଓ କିଶୋର ଭୁୟାଁ ଉପସ୍ଥିତ ଥିଲେ।
