*ସୂଚନା ଫଳକ ଗାଏବ, ନିର୍ମାଣରେ ସନ୍ଦେହ! ରାଇଘରରେ ଦୁଇ ପୋଲକୁ ନେଇ ଉଠିଲା ବଡ଼ ପ୍ରଶ୍ନ*
ରାଇଘର: ତା/୨୪/୧୧(ଉମେଶ ସାହୁ)
ଜନସାଧାରଣଙ୍କ ସୁବିଧା ପାଇଁ ଆସୁଥିବା ସରକାରୀ ଅନୁଦାନରେ ନିର୍ମାଣ ହେଉଛି ପୋଲ, ହେଲେ କାର୍ଯ୍ୟସ୍ଥଳରେ ନାହିଁ ସୂଚନା ଫଳକ। ଖର୍ଚ୍ଚ କେତେ, କାମ କେତେ ଓ ଦାୟିତ୍ୱ କାହାର ଏହାର ଉତ୍ତର ଖୋଜୁଛନ୍ତି ରାଇଘର ବ୍ଲକ ବୋବଇ ପଞ୍ଚାୟତବାସୀ।ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବୋବଇ ପଞ୍ଚାୟତର ଶାନ୍ତିନଗର ଓ କଟୁଆଲପାରାରେ ନିର୍ମାଣ ହୋଇଛି ଦୁଇଟି ପୋଲ। କିନ୍ତୁ ନିର୍ମାଣ କାର୍ଯ୍ୟସ୍ଥଳରେ ସୂଚନା ଫଳକ ନଥିବାରୁ ପ୍ରକଳ୍ପର ଅନୁଦାନ ରାଶି, କାର୍ଯ୍ୟ ଅବଧି ଓ ଦାୟିତ୍ୱରେ ଥିବା ଠିକାଦାରଙ୍କ ସମ୍ପର୍କରେ ଜନସାଧାରଣ ଅନ୍ଧାରରେ ରହିଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପୋଲ ନିର୍ମାଣର ମାନ ନିମ୍ନମାନର ହୋଇଥିବା ବେଳେ ସରକାରୀ ଅନୁଦାନର ସଠିକ୍ ବିନିଯୋଗ ନେଇ ମଧ୍ୟ ସନ୍ଦେହ ଉପୁଜିଛି। ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ଅସାଧୁ ସମ୍ପର୍କ ଥିବା ଏବଂ ଅନିୟମିତତା ହେଉଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ଯନ୍ତ୍ରୀଙ୍କୁ ମୋଟା ଅଙ୍କର ଅର୍ଥ ଓ ଅନ୍ୟାନ୍ୟ ଆତିଥ୍ୟ ଦେଇ କାମର ମାନକୁ ଅଣଦେଖା କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି।କେବଳ ଏହି ଦୁଇଟି ପୋଲ ନୁହେଁ, ରାଇଘର ବ୍ଲକର ବିଭିନ୍ନ ଅଞ୍ଚଳରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର ଗୁଣବତ୍ତା ନେଇ ମଧ୍ୟ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ଯୋଜନା ଆସୁଛି, ଅନୁଦାନ ଖର୍ଚ୍ଚ ହେଉଛି, ହେଲେ ଲୋକଙ୍କୁ ମିଳୁଛି କି ସଠିକ୍ ଉନ୍ନତି? ଏହି ପ୍ରଶ୍ନ ଏବେ ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଛି।ଅଭିଯୋଗର ନିରପେକ୍ଷ ତଦନ୍ତ କରି ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରିବା ସହ ଠିକାଦାର ଓ ସମ୍ପୃକ୍ତ ଯନ୍ତ୍ରୀଙ୍କ ସମ୍ପତ୍ତି ଓ କାର୍ଯ୍ୟକଳାପର ତଦନ୍ତ ପାଇଁ ଜନସାଧାରଣ ସିବିଆଇ ତଦନ୍ତ ଦାବି କରିଛନ୍ତି।ସରକାରୀ ଟଙ୍କା ଲୋକଙ୍କ ଉନ୍ନତି ପାଇଁ, କାହାର ପକେଟ୍ ଭରିବା ପାଇଁ ନୁହେଁ। ଏବେ ପ୍ରଶ୍ନ ଉଠୁଛିସୂଚନା ଫଳକ କାହିଁକି ନାହିଁ? ନିର୍ମାଣର ମାନ ଯାଞ୍ଚ କରିଛି କିଏ? ଅଭିଯୋଗ ଉପରେ ପ୍ରଶାସନ କେବେ ଜବାବ ଦେବ?ରାଇଘରବାସୀଙ୍କ ଦାବିକେବଳ କାଗଜପତ୍ରରେ ନୁହେଁ, କାର୍ଯ୍ୟସ୍ଥଳରେ ମଧ୍ୟ ଦେଖାଯାଉ ସ୍ୱଚ୍ଛତା।
