୧୬୮୦ ଲିଟର ଦେଶୀ ମଦ ଜବତ, ୨ ଅଭିଯୁକ୍ତ ଗିରଫ।
ବୋଲେର ଗାଡ଼ି, ଗୋଟିଏ ମୋଟରସାଇକେଲ ଓ ସ୍କୁଟି ଜବତ।
ବସ୍ତା:-(ନି.ପ୍ର) ସେଖ ଆଜାରୁଦ୍ଦିନ
ବାଲେଶ୍ୱର ଜିଲ୍ଲା ରୂପସା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବେଆଇନ ଦେଶୀ ମଦ ଚାଲାଣ ଯୋଜନାକୁ ପଣ୍ଡ କରିବା ସହ ୧୬୮୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ରୂପସା ଥାନା ଅଧୀନ କେନ୍ଦୁଡାଙ୍ଗିରି ଗ୍ରାମରୁ ରୂପସା ଓ ବସ୍ତା ଅଞ୍ଚଳର ବିଭିନ୍ନ ସ୍ଥାନକୁ ଦେଶୀ ମଦ ଚାଲାଣ କରିବା ପାଇଁ ଯୋଜନା ଚାଲିଥିଲା। ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ରୂପସା ପୋଲିସ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ସତ୍ୟଜିତ ସାହୁ ଓ ହରିଶ୍ଚନ୍ଦ୍ର ରାଉତ ନାମକ ଦୁଇ ଜଣଙ୍କୁ ଗିରଫ କରିଥିଲା। ଏଥିସହ ୧୬୮୦ ଲିଟର ଦେଶୀ ମଦ, ଗୋଟିଏ ବୋଲେର ଗାଡ଼ି, ଗୋଟିଏ ହିରୋ ମୋଟରସାଇକେଲ ଓ ଗୋଟିଏ ସ୍କୁଟି ଜବତ କରିଥିଲା। ଜବତ ମଦକୁ ୧୮ଟି ଟ୍ୟୁବ୍ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏନେଇ ରୂପସା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବସ୍ତା ଏସଡିପିଓ ସମର୍ଥ କୁମାର ବେହେରା, ବସ୍ତା ଆଇଆଇସି ରଣଜିତ କୁମାର ସାହୁ ଏବଂ ଏଏସଆଇ ବିକାଶ ଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ। ଏହି ଘଟଣାରେ ରୂପସା ଥାନାରେ କେସ୍ ନଂ ୨୫/୨୦୨୬ ରୁଜୁ କରାଯାଇଛି। ମାମଲା ରୁଜୁ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ସୂଚନା ଦେଇଛନ୍ତି।
