*ମା’ର କୋଳକୁ ଫେରିଲାନି ଦୁଇ ବର୍ଷର ବେଦିକା!* *କଲରାପତରିଆର ଆକ୍ରମଣରେ ଅକାଳରେ ଲିଭିଗଲା ଶିଶୁ ଜୀବନ*
ରାଇଘର: (ଉମେଶ ସାହୁ)ଯେଉଁ ଅଗଣାରେ ଦୁଇ ବର୍ଷର କୁନି ପାଦରେ ଖେଳିବାର ଶବ୍ଦ ଶୁଭୁଥିଲା, ଯେଉଁ ଘରେ ଶିଶୁର ହସରେ ମା’ର ମନ ଭରିଯାଉଥିଲା, ସେହି ଅଗଣାରେ ଆଜି ଖେଳିଯାଇଛି ହୃଦୟବିଦାରକ ନିରବତା। ମା’ର କୋଳକୁ ଆଉ ଫେରିବନି ଦୁଇ ବର୍ଷର କୁନି ଝିଅ ବେଦିକା। କଲରାପତରିଆ ବାଘର ଆକ୍ରମଣରେ ନିଷ୍ପାପ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ସନ୍ଦେହ ଘନୀଭୂତ ହୋଇଛି। ଏହି ଦୁଃଖଦ ଘଟଣାରେ ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଅଞ୍ଚଳରେ ଶୋକ ଓ ଭୟର ବାତାବରଣ ଖେଳିଯାଇଛି।
ସୂଚନା ଅନୁଯାୟୀ, ରାଇଘର ବ୍ଲକ ନାକଟିସିମଡା ପଞ୍ଚାୟତ ଅନ୍ତର୍ଗତ ଚଡ଼ିଆପାରା ଗ୍ରାମର ବିଷ୍ଣୁ ଗଣ୍ଡ ଓ ତାଙ୍କ ପତ୍ନୀ ସୁମିତ୍ରା ଗଣ୍ଡଙ୍କ ଦୁଇ ବର୍ଷର ଦ୍ୱିତୀୟ ସନ୍ତାନ ବେଦିକା ସୋମବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ନିଜ ଘର ଅଗଣାରେ ଖେଳୁଥିଲା। ସେହି ସମୟରେ ନିକଟସ୍ଥ ଜଙ୍ଗଲରୁ ଆସିଥିବା ଏକ କଲରାପତରିଆ ବାଘ ତାକୁ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଶିଶୁର ମା’ ଘର ଭିତରେ ଥିବାବେଳେ ତାଙ୍କ ଜେଜେବାପା ପ୍ରଥମେ ଜଣେ ବନ୍ୟଜନ୍ତୁ ଶିଶୁଟିକୁ ଉଠାଇ ନେଉଥିବା ଦେଖିଥିଲେ। ମାତ୍ର ଅନ୍ଧାର ଯୋଗୁଁ ଜନ୍ତୁଟିକୁ ସ୍ପଷ୍ଟ ଚିହ୍ନଟ କରିପାରି ନଥିଲେ।
ପରେ ଘର ଅଗଣାରେ ରକ୍ତର ଛିଟା ଓ ଅନ୍ୟାନ୍ୟ ଚିହ୍ନ ଦେଖି ପରିବାର ଲୋକେ ଗ୍ରାମବାସୀ ଏବଂ କୁନ୍ଦେଇ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଗ୍ରାମବାସୀ ଓ ବନ ବିଭାଗର କର୍ମଚାରୀ ମିଳିତ ଭାବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜଙ୍ଗଲରେ ଖୋଜାଖୋଜି କରିଥିଲେ। ହେଲେ ଅନ୍ଧାର ଭିତରେ ବେଦିକାର କୌଣସି ସନ୍ଧାନ ମିଳିନଥିଲା।
ମଙ୍ଗଳବାର ସକାଳୁ ଓଡ଼ିଶା ଓ ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଦୀର୍ଘ ପ୍ରାୟ ୨୦ ଘଣ୍ଟାର ଅପେକ୍ଷା ଓ ଖୋଜାଖୋଜି ପରେ ଉଭୟ ରାଜ୍ୟରୁ ଆସିଥିବା ସନ୍ଧାନୀ କୁକୁରଙ୍କ ସହାୟତାରେ ଜଙ୍ଗଲର ବିଭିନ୍ନ ସ୍ଥାନରୁ ଶିଶୁକନ୍ୟାର ମୁଣ୍ଡ, ଦୁଇ ହାତ ଓ ଦୁଇ ଗୋଡ଼ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଏହି ଦୃଶ୍ୟ ପରିବାର ଓ ଗ୍ରାମବାସୀଙ୍କୁ ଗଭୀର ମର୍ମାହତ କରିଛି।
ସୂଚନାଯୋଗ୍ୟ, ବିଷ୍ଣୁ ଗଣ୍ଡଙ୍କ ଘରଠାରୁ ମାତ୍ର ୫୦ ମିଟର ଦୂରରେ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ଜଙ୍ଗଲ ଛତିଶଗଡ଼ର ଜଙ୍ଗଲ ସହ ସଂଲଗ୍ନ ଥିବାରୁ ଏବଂ ନିକଟରେ ଉଦନ୍ତି-ସୀତାନଦୀ ଅଭୟାରଣ୍ୟ ରହିଥିବାରୁ କଲରାପତରିଆ ବାଘର ଚଳପ୍ରଚଳ ନେଇ ଆଶଙ୍କା କରାଯାଉଛି। ଏପରିକି ଗତ ଦୁଇ ଦିନ ଧରି ମାରିପାରା ଜଙ୍ଗଲ ଅଞ୍ଚଳରେ କେତେକ ଲୋକ କଲରାପତରିଆ ବାଘ ଦେଖିଥିବା କହିଛନ୍ତି।
ପ୍ରାଥମିକ ତଦନ୍ତରୁ କଲରାପତରିଆ ବାଘ ଆକ୍ରମଣରେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବନ ବିଭାଗ ସନ୍ଦେହ କରୁଛି। ତେବେ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ରାଇଘର ରେଞ୍ଜର ସୂଚନା ଦେଇଛନ୍ତି।
ଏହି ଘଟଣା ପରେ ଚଡ଼ିଆପାରା ସମେତ ଆଖପାଖ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଛୋଟ ପିଲାଙ୍କୁ ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଗ୍ରାମବାସୀଙ୍କ ଦାବି, ବନ ବିଭାଗ ତୁରନ୍ତ ଜଙ୍ଗଲରେ ବାଘର ଗତିବିଧି ଚିହ୍ନଟ କରିବା ସହ ଗାଁଗୁଡ଼ିକର ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେଉ।
ଏକ ନିଷ୍ପାପ ଶିଶୁର ଜୀବନ ଚାଲିଗଲା, ଗୋଟିଏ ପରିବାରର ହସ ସବୁଦିନ ପାଇଁ ହଜିଗଲା। ବେଦିକା ଆଉ ଫେରିବନି, ହେଲେ ତା’ର ମୃତ୍ୟୁ ପରେ ଆଉ କୌଣସି ମା’ର କୋଳ ଯେପରି ଶୂନ୍ୟ ନହେଉ, ସେଥିପାଇଁ ବନ ବିଭାଗ ଓ ପ୍ରଶାସନ କେବେ ଜାଗିବେ? ଏବେ ଏହା ହିଁ ସମଗ୍ର ଅଞ୍ଚଳବାସୀଙ୍କ ମର୍ମସ୍ପର୍ଶୀ ପ୍ରଶ୍ନ।
