*ନବରଙ୍ଗପୁର ଜିଲ୍ଲାରେ ଅବୈଧ ମଦ ଓ ନିଶାଦ୍ରବ୍ୟ କାରବାର ବିରୋଧରେ ଜୋରଦାର ଚଢ଼ାଉ: ୩ ଦିନରେ ୧୭ଟି ମାମଲା ରୁଜୁ*
ନବରଙ୍ଗପୁର, ୨୩ ନଭେମ୍ବର ୨୦୨୬:
ଜିଲ୍ଲାରେ ଅବୈଧ ମଦ ଓ ନିଶାଦ୍ରବ୍ୟ କାରବାରକୁ ରୋକିବା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଓ ଜୋରଦାର ଚଢ଼ାଉ ଜାରି ରହିଛି। ନଭେମ୍ବର ୨୦, ୨୧ ଓ ୨୨ ତାରିଖରେ ଜିଲ୍ଲାର ବିଭିନ୍ନ ଅବକାରୀ ୟୁନିଟ୍ ଓ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇ ମୋଟ ୧୭ଟି ମାମଲା ରୁଜୁ କରାଯାଇଛି।
ସୂଚନାଯୋଗ୍ୟକୀ, ଗତ ୨୦ ତାରିଖ ଦିନ ନବରଙ୍ଗପୁର, ପାପଡାହାଣ୍ଡି, କୋଡିଙ୍ଗା ଓ ଉମରକୋଟ ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ମୋଟ ୬ଟି ମାମଲା ରୁଜୁ କରାଯାଇ ୪ ଜଣଙ୍କୁ ବିଏନଏସଏସ ଧାରା ୩୫(୩) ଅନୁଯାୟୀ ଛାଡ଼ କରାଯାଇଥିବାବେଳେ ୧୭୬ ଲିଟର ଅବୈଧ ମଦ ଓ ୧,୬୫୦ କିଲୋଗ୍ରାମ୍ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ପୋଚ ଜବତ କରାଯାଇଥିଲା। ୨୧ ତାରିଖ ଦିନ ଉମରକୋଟ ରେଞ୍ଜ ଓ ବିଭିନ୍ନ ଅବକାରୀ ଥାନା ପକ୍ଷରୁ ଚଢ଼ାଉରେ ୬ଟି ମାମଲା ରୁଜୁ ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରି ଅଦାଲତକୁ ପଠାଯାଇଥିଲା। ଚଢ଼ାଉରେ ୨୨୦ ଲିଟର ଅବୈଧ ମଦ, ୨,୦୦୦ କିଲୋଗ୍ରାମ୍ ପୋଚ, ୭ କିଲୋଗ୍ରାମ୍ ଗଞ୍ଜେଇ, ୪୮.୭୫୦ ଲିଟର ବିୟର, ୦.୫୪୦ ଲିଟର ମଦ ଏବଂ ୯.୭୨୦ ଲିଟର ନନ୍-ଡ୍ୟୁଟି ପେଡ୍ ମଦ ଜବତ କରାଯାଇଥିଲା। ୨୨ତାରିଖରେ ଅବକାରୀ ମୋବାଇଲ୍ ୟୁନିଟ୍, ନବରଙ୍ଗପୁର ଓ ପାପଡାହାଣ୍ଡି ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ୫ଟି ମାମଲା ରୁଜୁ କରି ୨ ଜଣଙ୍କୁ ବିଏନଏସଏସ ଧାରା ୩୫(୩) ଅନୁଯାୟୀ ଛାଡ଼ କରାଯାଇଥିବାବେଳେ ୪୮୮ ଲିଟର ଅବୈଧ ମଦ, ୪,୯୦୦ କିଲୋଗ୍ରାମ୍ ପୋଚ ଏବଂ ୫.୨୦୦ ଲିଟର ବିୟର ଜବତ କରାଯାଇଥିଲା।
ଅବୈଧ ମଦ ଓ ନିଶାଦ୍ରବ୍ୟ କାରବାରକୁ ନିୟନ୍ତ୍ରଣ କରିବା, ଆଇନର କଡ଼ା ଅନୁପାଳନ ସୁନିଶ୍ଚିତ କରିବା ଏବଂ ଜିଲ୍ଲାରେ ଏଭଳି ବେଆଇନ କାର୍ଯ୍ୟକଳାପକୁ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ତଥା ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଆଗକୁ ମଧ୍ୟ ନିରନ୍ତର ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିବ।
