ରାୟଗଡ ଜିଲ୍ଲାରେ ତିରିଶିଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପିତ
(ଡା:ରମେଶ କୁମାର.ନି:ପ୍ର)
ରାୟଗଡ ତା ୬.୧୧.୨୦୨୬
ରାୟଗଡ ଜିଲ୍ଲାର ତିରିଶିଟି ଗ୍ରାମ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା ନିମନ୍ତେ ଶୁକ୍ରବାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଠାରୁ ଆଭାସୀ ମାଧ୍ୟମରେ ତୃତୀୟ ପର୍ଯ୍ୟାୟରେ ମୋଟ ଛଅ ଶହ ତିରିଶି ଗୋଟି ମଧ୍ୟରୁ ରାୟଗଡ ଜିଲ୍ଲା ପାଇଁ ତିରିଶି ଗୋଟି ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସେଥି ମଧ୍ୟରୁ କଲ୍ୟାଣ ସିଙ୍ଗାପୁରରେ ଛଅ ଟି, ବିଷମକଟକ ରେ ପାଞ୍ଚୋଟି, ରାୟଗଡ ଓ ଚନ୍ଦ୍ରପୁର ରେ ଚାରୋଟି ଲେଖାଏଁ, ମୁନିଗୁଡା ରେ ତିନୋଟି, ଗୁଣୁପୁର ଓ କାଶୀପୁର ରେ ଦୁଇଟି ଓ କୋଲନରା ଓ ଗୁଡ଼ାରୀ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରି ମଞ୍ଜୁଳା ମୀଣିଆକା ମିରାବାଲି ଠାରେ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ଭଜନଲାଲ ମାଝୀ ବୈରାଗୀ ହାଲୁଆ ଓ କାମ୍ପ ମାଲିଗାଁ ଠାରେ ଉପସ୍ଥିତ ରହି ରାଜ୍ୟ ସ୍ତରୀୟ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ସିଧା ପ୍ରସାରଣର ସାମିଲ ହୋଇଥବା ବେଳେ ସମସ୍ତ ବ୍ଲକ ସ୍ତରୀୟ ବିଡ଼ିଓ ଏବଂ ଶିକ୍ଷା ବିଭାଗୀୟ ଅଧିକାରୀ ବୃନ୍ଦ ନିଜ ନିଜ ବ୍ଲକ ସ୍ତରୀୟ ବିଦ୍ୟାଳୟ ଗୁଡିକରେ ମୁଖ୍ୟମନ୍ତ୍ରୀଙ୍କ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରାୟଗଡ ଜିଲ୍ଲାରେ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଦୁଇଟି, ଦ୍ୱିତୀୟ ପର୍ଯ୍ୟାୟରେ ଆଠୋଟି ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟର ଘୋଷଣା କରାଯାଇଥିଲା । ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ନିମନ୍ତେ ସରକାର ଲକ୍ଷ୍ୟ ରଖିଛନ୍ତି, ପ୍ରତିଟି ବିଦ୍ୟାଳୟ ପ୍ରାୟ ପାଞ୍ଚ ଏକର ପରିମିତ ଜମିରେ ନିର୍ମାଣ ହେବ, ଏଥିପାଇଁ ସରକାର ପ୍ରାୟ ପାଞ୍ଚକୋଟି ପର୍ଯ୍ୟନ୍ତ ଅର୍ଥ ବରାଦ କରିବେ । ଫଳରେ ଭିତ୍ତିଭୂମି, ପର୍ଯ୍ୟାପ୍ତ ଶିକ୍ଷକ ଓ ଡିଜିଟାଲ ଶିକ୍ଷା ବ୍ୟବସ୍ଥା ପ୍ରଦାନ ସହ ଜିଲ୍ଲାର ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ସହ ରାୟଗଡ଼ାରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ପାଇଁ ଏହା ବିଶେଷ ସହାୟକ ହେବ ବୋଲି ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ମାଝୀ କହିଛନ୍ତି । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ବୁଦ୍ଧିଜୀବୀ ଓ ଜନସାଧାରଣ ମହଲରେ ଭୂୟସୀ ପ୍ରଂଶସା କରାଯାଇଛି ।
