ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ) : ଆଜି ସୋର ବ୍ଲକ ପରିସରରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ,ଏସ୍ପି ରାଜ ପ୍ରସାଦ, ଉପ ଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ, ତହସିଲ ଦାରୁ ଦୈତାରି ମଲ୍ଲିକ ଉପସ୍ଥିତ ରହି ଏହି ଶିବିରରେ ଅଭିଯୋଗ ଗ୍ରହଣ କରିଥିଲେ। ଏହି ସମୟରେ ରାସ୍ତା,ସ୍କୁଲ,ଭତ୍ତା ,ଜଳ ଯୋଗାଣ, ସରକାରୀ ଜମି ଜବର ଦଖଲ ଆଦି ୧୪୧ଟି ଅଭିଯୋଗ ଆସିଥିଲା। ଏହି କ୍ରମରେ ବିପର୍ଯସ୍ତ ହୋଇ ଅତି ଶୋଚନୀୟ ହୋଇ ପଡ଼ିଥିବା ବାଗୁଡ଼ି ରାସ୍ତା ବିଷୟରେ ସ୍ଥାନୀୟ ଗ୍ରାମବାସୀଙ୍କ ତରଫରୁ ମହିଳା ମାନେ ଜିଲ୍ଲାପାଳଙ୍କ ଆଗରେ ଫେରାଦ ହୋଇ ଅଭିଯୋଗ ବାଢିଥିଲେ କଥା ରଖି ଖୋଦ ଜିଲ୍ଲାପାଳ ଉକ୍ତ ରାସ୍ତାକୁ ପରିଦର୍ଶନରେ ଯାଇଥିଲେ ମାତ୍ର ହାଇକୋର୍ଟରେ ଉକ୍ତ ରାସ୍ତା ଉପରେ ମାମଲା ବିଚାରାଧୀନ ରହିଛି ଏଣୁ ଆଗାମୀ ୩ ଦିନ ଭିତରେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିଲେ।ସେହିପରି ମାଣତ୍ରୀ ପଞ୍ଚାୟତ ବଗିଚା ପଡ଼ିଆରେ ୨୪୭୫ ପ୍ଲଟରେ ବେଆଇନ ଭାବରେ ହେଉଥିବା ଆବର୍ଜନା କୁଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ କିଛି ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟ ଏକ ଅଭିଯୋଗ ଅନୁସାରେ ଜଣେ ଭିନ୍ନକ୍ଷମ ଝିଅ ପ୍ରିୟଦର୍ଶିନୀ ରାଉତ ଜନ୍ମରୁ ଭିନ୍ନକ୍ଷମ ଥିବା ବେଳେ ୫୦ ଶତକଡ଼ାରୁ ଅଧିକ କରିବା ପାଇଁ ତାଙ୍କ ମାଆ ଶୁଭଦ୍ରା ରାଉତ ଅଭିଯୋଗ କରିଥିଲେ।ଜିଲ୍ଲାପାଳ ଆଜି ଅଭିଯୋଗ ଶୁଣାଣି ଶିବିର ପରେ ବାଟରେ ଗଲାବେଳେ ହଠାତ ସୋର ହସ୍ପିଟାଲକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଲଟ୍ରାସାଉଣ୍ଡ ପାଇଁ ଅପେକ୍ଷା କରିଥିବା ପ୍ରସୂତି ମାନଙ୍କ ପାଖରୁ ଅଭିଯୋଗ ପରେ କାର୍ଯ୍ୟରତ ଡାକ୍ତର ସୁମନ୍ତ ଧଡ଼ାଙ୍କୁ ତୁରନ୍ତ ଅଲଟ୍ରାସାଉଣ୍ଡ କରିବାକୁ ତାଗିଦ କରିଥିଲେ, ହସ୍ପିଟାଲରେ ସ୍ୱଛତା, କିଛି ଡାକ୍ତର ବାହାରୁ ମେଡ଼ିସିନ ଲେଖିବା ସହ ଅନ୍ୟ କେତେକ ଅଭିଯୋଗ ଉପରେ ସୋର ମେଡିକାଲର ଅଧିକ୍ଷକ କାଶୀନାଥ ପଣ୍ଡାଙ୍କୁ ଏ ବିଷୟରେ ଜବାବ ତଲବ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ବୁଲି ସର୍ବଦା ସ୍ୱଚ୍ଛତା ବଜାୟ ରଖିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ସୋର ବିଡ଼ିଓ ସତ୍ୟନାଥ ନାୟକ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହି ସମୟରେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
