ସାନଗମଡା ରେ କିଡ୍ନୀ ରୋଗ ଆତଙ୍କ,୨ ମୃତ ୫ ଆକ୍ରାନ୍ତ।
କଣ୍ଟାବାଞ୍ଜି ୩୧/୧୦ (ଝ ସକେତନ ନାଗ ଙ୍କ ରିପୋର୍ଟ୍)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତ ଅନ୍ତର୍ଗତ ସାନଗମଡା ଗାଁର ଉପରପଡ଼ାରେ କିଡ୍ନୀ ରୋଗକୁ ନେଇ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ପଡ଼ାରେ ଏହି ରୋଗରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୫ ଜଣ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଚିନ୍ତାର ବିଷୟ ହେଉଛି, ଆକ୍ରାନ୍ତଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ରହିଛନ୍ତି।
ସୂଚନା ଅନୁସାରେ, ରାମା ରଣା (୪୬), ମାଳତୀ କଟା (୪୪), ମୂଖ ରଣା (୭୬), ସୂର୍ଯ୍ୟକାନ୍ତି ବରିହା (୬୦) ଓ ଦୋଲାମଣୀ ରଣା (୩୫) କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସେହିପରି ଲଙ୍କେ କଟା ଓ ବୁଡ଼ୁ ଗହୀରଙ୍କ ଏହି ରୋଗରେ ମୃତ୍ୟୁ ହୋଇଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି।
ଆର୍ଥିକ ଅନଟନ ଯୋଗୁଁ ଆକ୍ରାନ୍ତମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିବା ଏବଂ କେତେକ ଚେରମୂଳି ଔଷଧ ଉପରେ ନିର୍ଭର କରୁଥିବା ଜଣାପଡ଼ିଛି। ଅନ୍ୟପଟେ ଉପରପଡ଼ାରେ ୨୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ପିଇବା ପାଣି ପାଇଁ ମାତ୍ର ଗୋଟିଏ ନଳକୂଅ ରହିଛି। ଏହି ନଳକୂଅର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବାରଣ କରାଯାଇଥିବା ସତ୍ତ୍ୱେ ବିକଳ୍ପ ବ୍ୟବସ୍ଥା ନଥିବାରୁ ଲୋକେ ବାଧ୍ୟ ହୋଇ ସେହି ପାଣି ବ୍ୟବହାର କରୁଛନ୍ତି। ସ୍ୱଚ୍ଛ ପାଣି ପାଇଁ ପଡ଼ାବାସୀଙ୍କୁ ପ୍ରାୟ ଏକ କିଲୋମିଟର ଦୂରକୁ ଯିବାକୁ ପଡ଼ୁଛି।
ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ବସୁଧା ଯୋଜନା ଥିବା ସତ୍ତ୍ୱେ ଏହି ପଡ଼ାରେ ଏହାର ସୁବିଧା ମିଳୁନଥିବା ଗ୍ରାମବାସୀ କହିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଜନପ୍ରତିନିଧି ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ, ଖୁବ୍ଶୀଘ୍ର ଏକ ବିଶେଷଜ୍ଞ ଟିମ୍ ଗାଁକୁ ଯାଇ ନଳକୂଅ ପାଣିର ନମୁନା ପରୀକ୍ଷା କରିବା ସହ ଆକ୍ରାନ୍ତଙ୍କ ଚିକିତ୍ସା ଓ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ତେବେ ଦୁଇ ଜଣଙ୍କ ମୃତ୍ୟୁ ଓ ପାଞ୍ଚ ଜଣଙ୍କ ଆକ୍ରାନ୍ତ ହେବା ଘଟଣା ପରେ ମଧ୍ୟ କେବେ ପଡ଼ାବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ମିଳିବ ଏବଂ ପ୍ରଶାସନ କେବେ ତ୍ୱରିତ ପଦକ୍ଷେପ ନେବ, ତାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।
