*ଢେଙ୍କାନାଳରେ ଜାତୀୟ ଏକତା ଦିବସ ପାଳିତ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଢେଙ୍କାନାଳ, ୩୧/୧୦: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଆଜି ଢେଙ୍କାନାଳ ଜିଲ୍ଲାରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ ‘ଏକତା ପାଇଁ ଦୌଡ଼’ (Run for Unity) ଏବଂ ସନ୍ଧ୍ୟାରେ ଢେଙ୍କାନାଳ ପୋଲିସ ପକ୍ଷରୁ ଆନୁଷ୍ଠାନିକ ପରେଡ୍ ଆୟୋଜିତ ହୋଇଥିଲା।
ସକାଳେ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଅଡିଟୋରିୟମ୍ଠାରେ ଆୟୋଜିତ ସ୍ୱାଗତ ସଭା ପରେ ଏକତା ଦୌଡ଼କୁ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଲଳିତ ମୋହନ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସକାଳର ଘନ କୁହୁଡ଼ିକୁ ଖାତିର ନକରି ୪୦୦ରୁ ଊର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଏହି ଦୌଡ଼ରେ ସାମିଲ ହୋଇ ଜାତୀୟ ଏକତାର ବାର୍ତ୍ତା ପ୍ରସାର କରିଥିଲେ।
ସ୍ୱାଗତ ସଭାରେ ଉଦ୍ବୋଧନ ଦେଇ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମାନେ କହିଥିଲେ ଯେ, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ିତୋଳିବା ପାଇଁ ଜାତୀୟ ଏକତା ଓ ସଂହତି ଅପରିହାର୍ଯ୍ୟ। ଚଳିତ ବର୍ଷର ଏକତା ଦିବସର ବିଷୟବସ୍ତୁ ‘ନିଶାମୁକ୍ତ ଭାରତ’ ଉପରେ ଗୁରୁତ୍ୱାରୋପ କରି ସେ ଏକ ସୁସ୍ଥ ଓ ସଶକ୍ତ ସମାଜ ଗଠନ ପାଇଁ ନିଶାମୁକ୍ତି ଆନ୍ଦୋଳନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ କହିଥିଲେ ଯେ, ଦେଶର ପ୍ରଗତି ଆମର ଏକତା ଓ ସାମୂହିକ ଦାୟିତ୍ୱବୋଧ ଉପରେ ନିର୍ଭର କରେ। ବିଶ୍ୱର ବିଭିନ୍ନ ଦେଶରେ ଚାଲିଥିବା ଆନ୍ଦୋଳନ ଓ ବିଶୃଙ୍ଖଳାର ଉଦାହରଣ ଦେଇ ସେ କହିଥିଲେ ଯେ, ଶତ୍ରୁପକ୍ଷର ପ୍ରରୋଚନା ବା ପ୍ରୋତ୍ସାହନରେ ଏଭଳି ଘଟଣା ଘଟିଲେ ତାହା ଦେଶର ବିକାଶକୁ ବାଧାପ୍ରାପ୍ତ କରିପାରେ। ତେଣୁ ଜାତୀୟ ସ୍ୱାର୍ଥ ଓ ଏକତାକୁ ସର୍ବଦା ପ୍ରାଧାନ୍ୟ ଦେବା ଆବଶ୍ୟକ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବେହେରା ମଧ୍ୟ ଏକ ଶକ୍ତିଶାଳୀ ଓ ବିକଶିତ ରାଷ୍ଟ୍ର ଗଠନ ପାଇଁ ଜାତୀୟ ଏକତାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଥିଲେ।
ସନ୍ଧ୍ୟାରେ ରିଜର୍ଭ ଲାଇନ୍ ପୋଲିସ ପଡ଼ିଆଠାରେ ଆୟୋଜିତ ଆନୁଷ୍ଠାନିକ ପରେଡ୍ରେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ, ତାଳଚେରର ଡିଆଇଜି ଶ୍ରୀ ଆଶିଷ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଉପସ୍ଥିତ ସମସ୍ତଙ୍କୁ ଜାତୀୟ ଏକତା ଦିବସର ଶପଥ ପାଠ କରାଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ସାକାର କରିବା ପାଇଁ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ଯେକୌଣସି ପରିସ୍ଥିତିରେ ଅକ୍ଷୁଣ୍ଣ ରଖିବା ଆବଶ୍ୟକ।
ଏହି ଅବସରରେ ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ ବରିଷ୍ଠ ନାଗରିକ ପରିଚୟପତ୍ର ବଣ୍ଟନ କରାଯାଇଥିଲା। ଏଥିସହ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଆୟୋଜିତ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ପରେଡ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ, ଶ୍ରୀମତୀ ଇନ୍ଦୁରେଖା ପଶ୍ଚିମକବାଟ, ଶ୍ରୀ ନିରଞ୍ଜନ ପାଢ଼ୀ, ଢେଙ୍କାନାଳ ସଦର ଏସ୍ଡିପିଓ ଶ୍ରୀ ରମେଶ ଚନ୍ଦ୍ର ଦୋରା, ଡିଏସ୍ପି (ମାନବାଧିକାର ସୁରକ୍ଷା ସେଲ୍) ଶ୍ରୀମତୀ ସନ୍ଧ୍ୟାରାଣୀ ବେହେରାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ରିଜର୍ଭ ଇନ୍ସପେକ୍ଟର (ହୋମଗାର୍ଡ) ଶ୍ରୀ ସାଗର ତାପୋ ପରେଡ୍ର ନେତୃତ୍ୱ ନେଇଥିବା ବେଳେ ଶ୍ରୀ ଜ୍ୟୋତି ପ୍ରକାଶ ପଟ୍ଟନାୟକ ଦ୍ୱିତୀୟ କମାଣ୍ଡ ଭାବେ ଦାୟିତ୍ୱ ତୁଲାଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା।
ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ଏକତା ଦିବସ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରିବା ସହ ଦେଶର ରାଜନୈତିକ ଏକୀକରଣ ଓ ଜାତୀୟ ସଂହତି ପ୍ରତି ତାଙ୍କର ଅବିସ୍ମରଣୀୟ ଅବଦାନକୁ ସମ୍ମାନ ଜଣାଇବାର ଏକ ଅବସର। ଏହି ଦିବସ ଦେଶର ବିବିଧତା ମଧ୍ୟରେ ଏକତା, ଅଖଣ୍ଡତା, ସୁରକ୍ଷା ଓ ସାମାଜିକ ସଦ୍ଭାବନା ବଜାୟ ରଖିବାର ଗୁରୁତ୍ୱକୁ ସ୍ମରଣ କରାଇଥାଏ।
