ରାୟଗଡରେ ପିଏମ୍-କିଷାନ ଉତ୍ସବ ଦିବସ ପାଳିତ: ୫୦,୯୬୩ ଜଣ ଚାଷୀଙ୍କୁ ମିଳିଲା ୨୪ତମ କିସ୍ତିର ସହାୟତା ରାଶି
(ଡା:ରମେଶ କୁମାର.ନି:ପ୍ର)
ରାୟଗଡ, ତା. ୩୦.୧୦.୨୦୨୬: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୪ତମ କିସ୍ତିର ଅର୍ଥରାଶି ଆଜି ଗୁଜରାଟର ବନାସକଣ୍ଠାଠାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ରାୟଗଡ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ‘ପିଏମ୍-କିଷାନ ଉତ୍ସବ ଦିବସ’ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ, ଆଇ.ଏ.ଏସ୍., ଏସ୍.ଡି.ସି. ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ସବର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ନକ୍ଷତ୍ର ମୋହନ ରାଉଳ, ଜିଲ୍ଲା ଓ ବ୍ଲକସ୍ତରୀୟ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତଥା ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୧୦୦ ଜଣ ଚାଷୀ ଏହି ସମ୍ମିଳନୀରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ।
ଏହି ୨୪ତମ କିସ୍ତି ଅଧୀନରେ ଓଡ଼ିଶାର ୩୫.୩୯ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ଉପକୃତ ହୋଇଥିବା ବେଳେ କେବଳ ରାୟଗଡ ଜିଲ୍ଲାର ୫୦,୯୬୩ ଜଣ ପଞ୍ଜୀକୃତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ସିଧାସଳଖ ହସ୍ତାନ୍ତର କରାଯାଇଛି। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସହିତ ରାୟଗଡ ଜିଲ୍ଲାର ବିଭିନ୍ନ ବ୍ଲକ, ଗ୍ରାମପଞ୍ଚାୟତ ଓ ଗ୍ରାମାଞ୍ଚଳରେ ମଧ୍ୟ ପିଏମ୍-କିଷାନ ଉତ୍ସବ ଦିବସ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଚାଷୀ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ଏଗ୍ରିଷ୍ଟାକ୍’ (AgriStack) କାର୍ଯ୍ୟକ୍ରମ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଇଥିଲେ। ସେ କହିଥିଲେ ଯେ, ଆଗାମୀ ଦିନରେ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି (AgriStack Farmer ID) ମାଧ୍ୟମରେ ଚାଷୀମାନେ ପିଏମ୍-କିଷାନ ଯୋଜନାର ସୁବିଧା ପାଇପାରିବେ। ତେଣୁ ସମସ୍ତ ଯୋଗ୍ୟ ଚାଷୀଙ୍କୁ ନିଜର ଏଗ୍ରିଷ୍ଟାକ୍ ଫାର୍ମର ଆଇଡି ପାଇଁ ପଞ୍ଜୀକରଣ କରାଇନେବାକୁ ଅନୁରୋଧ କରାଯାଇଛି।
ଚାଷୀଙ୍କ ଆର୍ଥିକ ସଶକ୍ତିକରଣ, କୃଷି କ୍ଷେତ୍ରରେ ଡିଜିଟାଲ୍ ବ୍ୟବସ୍ଥାର ପ୍ରସାର ଏବଂ ସରକାରୀ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସୁବିଧାରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
