*ଅର୍ଣ୍ଣବ ବାତ୍ୟା ପ୍ରଭାବ: ନୂଆପଡ଼ା ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ*।
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୨୯/୧୦
ରାଜ୍ୟରେ ପ୍ରଳୟକାରୀ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଜାରି ରହିଥିବାବେଳେ ନୂଆପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଏବଂ ଜୋରଦାର ପବନ ପ୍ରବାହ ଯୋଗୁଁ ଜିଲ୍ଲାରେ ପାଚିଲା ଧାନ ଫସଲ ସମ୍ପୂର୍ଣ୍ଣ ମାଟିରେ ଶୋଇଯାଇ ନଷ୍ଟ ହୋଇଯାଇଛି।
ବର୍ତ୍ତମାନ କ୍ଷୀର ଆସିବା ଓ ପାଚିବା ଅବସ୍ଥାରେ ଥିବା ଧାନ ଫସଲ ଏପରି ଭାବରେ ନଷ୍ଟ ହୋଇଯିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବିଶେଷକରି ଖଡ଼ିଆଳ ବ୍ଲକର କୁସମଲ୍, ବିରିଘାଟ ସମେତ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କ୍ଷତିର ପରିମାଣ ସବୁଠାରୁ ଅଧିକ ରହିଛି।
ପୂର୍ବରୁ ବାଲିଚର, ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବାରମ୍ବାର କ୍ଷତି ସହି ଆସୁଥିବା ଏହି ଅଞ୍ଚଳର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଏବେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଧାନ ଫସଲ ନଷ୍ଟ ହେବା କାରଣରୁ ଚାଷୀ ପରିବାରଗୁଡ଼ିକ ଆଗାମୀ ଦିନରେ କିପରି ଚଳିବେ, ସେନେଇ ଗଭୀର ଚିନ୍ତାରେ ପଡ଼ିଛନ୍ତି।
ତେଣୁ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ପକ୍ଷରୁ ତୁରନ୍ତ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ କ୍ଷତିଗ୍ରସ୍ତ ଅଞ୍ଚଳରେ ଫସଲ କ୍ଷୟକ୍ଷତିର ଆକଳନ କରାଯାଉ ଏବଂ ପ୍ରଭାବିତ ଚାଷୀମାନଙ୍କୁ ଯଥାଶୀଘ୍ର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ବୁଦ୍ଧିଜୀବୀ ଓ କୃଷକ ମହଲରୁ ଦୃଢ଼ ଦାବି ହେଉଛି। ନଚେତ୍ ଏହି ପ୍ରାକୃତିକ ବିପର୍ଯ୍ୟୟ ଚାଷୀକୁ ସମ୍ପୂର୍ଣ୍ଣ ଦେବାଳିଆ କରିଦେବ।
