*ତିର୍ତ୍ତୋଲ ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ରାକେଟର ପର୍ଦାଫାସ, ଛଅ ଜଣ ଗିରଫ, ଗାଡି ଓ଼ ଟଙ୍କା ଜବତ **
ତିର୍ତୋଲ,
( ଭଂଜଦୂତ ଖବର ):ଜଗତସିଂହପୁର ଜିଲ୍ଲା ତିର୍ତୋଲ ପୋଲିସ ପକ୍ଷରୁ ନିଶା କାରବାର ବିରୋଧରେ ଜୋରଦାର ଅଭିଯାନ ଜାରି ରହିଛି। ଜିଲ୍ଲା ଏସପି ଅଙ୍କିତ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତିର୍ତ୍ତୋଲ ପୋଲିସକୁ ଏକ ବଡ଼ ସଫଳତା ମିଳିଛି।
କନକପୁର ପଞ୍ଚାୟତର କୁଟିଲୋଗ୍ରାମଦୟାଲପୁର ଗ୍ରାମରେ ଦୀର୍ଘ ଦିନ ଧରି ଚାଲିଥିବା ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାସ କରି ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଆଜି ତିର୍ତ୍ତୋଲ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ବର୍ମା ଏହି ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତିର୍ତ୍ତୋଲ ପୋଲିସ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଝୁନି ଦାସଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଘଟଣାସ୍ଥଳରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ୫୦ ଗ୍ରାମ ବ୍ରାଉନ ସୁଗାର, ନଗଦ ୮୨୦୦ ଟଙ୍କା, ୫ଟି ମୋବାଇଲ, ( OD-05-CN-8857) ଗୋଟିଏ ଧଳା ଟାଟା ନେକ୍ସନ କାର , ( OD-21K-2283 ) ଗୋଟିଏ ଲାଲ ରଙ୍ଗର ବାଇକ୍ ଓ ( OD-21U-6549) ଗୋଟିଏ ନୀଳ ରଙ୍ଗର ସ୍କୁଟି ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ – ଗୋଟିଏ ପରିବାରର ମା’ ଝୁନି ଦାସ (୪୫), ତାଙ୍କ ଦୁଇ ପୁଅ ଦୁର୍ଗା ପ୍ରସାଦ (୩୪) ଓ ବିଭୁ ପ୍ରସାଦ (୩୦), କଣ୍ଟାପଡାର ସରୋଜ ଦାସ (୩୦), କନକପୁରର କୌଶିକ ରାଉଳ (୩୮) ଏବଂ ମାର୍କଣ୍ଡପୁରର ସୌଭାଗ୍ୟ ସିଂହ (୩୩)।
ଏହି ସଫଳ ଚଢ଼ାଉ ପାଇଁ ସ୍ଥାନୀୟ ଲୋକେ ଜିଲ୍ଲା ପୋଲିସ ଓ ତିର୍ତ୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନଙ୍କୁ ପ୍ରଶଂସା କରିଛନ୍ତି। ନିଶା ବିରୋଧରେ ଆଗକୁ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ଏସପି କହିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ କେସ ନଂ ୪୭୨/୨୬ରେ କୋର୍ଟ ଚାଲାଣ କରାଯାଇଛି। ସମ୍ମିଳନୀରେ ଡିଏସପି ଅଜୟ ଦାସ ଉପସ୍ଥିତ ଥିଲେ।
