ଧରାପୃଷ୍ଠରୁ ବିଦାୟ ନେଲେ ଜଗଜ୍ଜନନୀ ମା’ ଦୁର୍ଗା;ଭକ୍ତିମୟ ପରିବେଶରେ ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ମା’ଙ୍କ ଭସାଣି ଉତ୍ସବ
ବେଲଗୁଣ୍ଠା,୨୪/୧୦,-(ଶିବରାମ ଚୌଧୁରୀ )-ଦୀର୍ଘଦିନର ପୂଜାର୍ଚ୍ଚନା, ଭକ୍ତି ଓ ଉତ୍ସାହର ପରିସମାପ୍ତି ଘଟାଇ ଧରାପୃଷ୍ଠରୁ ବିଦାୟ ନେଲେ ଜଗଜ୍ଜନନୀ ମା’ ଦୁର୍ଗା। ବେଲଗୁଣ୍ଠା ସହରର ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ଭସାଣି ଉତ୍ସବ ଧୁମ୍ଧାମରେ ପାଳିତ ହୋଇଥିବା ବେଳେ ଭକ୍ତିମୟ ପରିବେଶରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ମେଲାଣି ଦେଇଥିଲେ। ବେଲଗୁଣ୍ଠା କଂସାରି ସାହି ପୂଜାମଣ୍ଡପରୁ ମା’ଙ୍କ ବିସର୍ଜନ ଶୋଭାଯାତ୍ରା ବାହାରି କୋଳିସାହି, ହାଟପଦା ଓ ବାଙ୍କ ବଜାର ଦେଇ ପିଲାଖାଇ ପୋଖରୀରେ ପହଞ୍ଚିଥିଲା। ସେଠାରେ ମା’ଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ସେହିପରି ବେଲଗୁଣ୍ଠା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପୂଜାମଣ୍ଡପରୁ ବାହାରିଥିବା ଶୋଭାଯାତ୍ରା ହାଟପଦା, ବାଙ୍କ ବଜାର, ପେଣ୍ଠସାହି, ଗୋପୀନାଥ ସାହି ଓ ଆଳିଆ ସାହି ଦେଇ ବାରଙ୍ଗ ନାଳରେ ପହଞ୍ଚିଥିଲା। ସେଠାରେ ବିଧିବିଧାନ ଅନୁଯାୟୀ ମା’ଙ୍କୁ ବିସର୍ଜନ କରାଯାଇଥିଲା।ଭସାଣି ଶୋଭାଯାତ୍ରାରେ ଡିଜେ ସାଉଣ୍ଡ ସହ ପାରମ୍ପରିକ ବାଦ୍ୟ, ଢୋଲ, ଘଣ୍ଟବାଦ୍ୟ ଓ ଦୁଲ୍ଦୁଲିର ତାଳେ ତାଳେ ଶ୍ରଦ୍ଧାଳୁମାନେ ନୃତ୍ୟଗୀତରେ ମସଗୁଲ ହୋଇଥିଲେ। ପଶୁମୁଖା ନୃତ୍ୟ ଓ ନବଦୁର୍ଗାଙ୍କ ଆକର୍ଷଣୀୟ ପରିବେଷଣ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲା। ସହରର ବିଭିନ୍ନ ରାସ୍ତାରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।ମା’ଙ୍କ ବିସର୍ଜନ ସହ ଶାରଦୀୟ ଦୁର୍ଗାପୂଜାର ସମାପନ ଘଟିଥିବା ବେଳେ ଆସନ୍ତା ବର୍ଷ ପୁଣି ମା’ଙ୍କ ଆଗମନକୁ ଅପେକ୍ଷା କରି ଭକ୍ତମାନେ ଭାବବିହ୍ୱଳ ହୋଇ ବିଦାୟ ଜଣାଇଥିଲେ।
