ସୋର ଅବକାରୀ ବିଭାଗର ବଡ଼ ସଫଳତା , ୧୫୦୦ ଲିଟର ଦେଶୀ ମଦ ସହ ୨୬୦୦ କିଲୋ ପୋଚ ଜବତ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ସୋର ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା। ୧୫୦୦ ଲିଟର ଦେଶୀ ମଦ ଜବତ କରିଛି ସୋର ଅବକାରୀ ବିଭାଗ। ସୂଚନାଯୋଗ୍ୟ ବାଲେଶ୍ୱର ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ସୋର ଅବକାରୀ ଥାନାର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଛି। ସୋର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ବାଘଆମ୍ପୁଡ଼ା ଅଞ୍ଚଳରେ ଦୁଇଟି ପୃଥକ ସ୍ଥାନରେ ଚାଲିଥିବା ଦେଶୀ ମଦ ରନ୍ଧା ଭାଟି ଉପରେ ଏହି ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଅବକାରୀ ବିଭାଗ ପକ୍ଷରୁ ୧୫୦୦ ଲିଟର ଦେଶୀ ମଦ ଓ ୨୬୦୦ କିଲୋଗ୍ରାମ ପୋଚ ଜବତ କରାଯାଇଛି। ଏଥିସହ ଗୋଟିଏ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ପ୍ଲସ୍ ମୋଟରସାଇକେଲ୍ (ଗାଡ଼ି ନମ୍ବର- ଓଡି-୦୧-ଆର୍-୨୫୦୦) ଏବଂ ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି (ଗାଡ଼ି ନମ୍ବର- ଓଡି-୦୧-ଏବି-୯୮୨୭) ମଧ୍ୟ ଜବତ କରାଯାଇଛି। ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦୂରରୁ ଦେଖି ଘଟଣାସ୍ଥଳରେ ଥିବା ଅଭିଯୁକ୍ତମାନେ ଖସି ପଳାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଦୁଇଟି ପୃଥକ ଅଭିଯୁକ୍ତବିହୀନ ମାମଲା ରୁଜୁ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
