**ପ୍ରେମ ସମ୍ପର୍କ ପରେ ପ୍ରତାରଣା: ପ୍ରେମିକର ବାପା ବିରୁଦ୍ଧରେ ଖଡ଼ିଆଳ ଥାନାରେ ଏତଲା।*
ନୂଆପଡା(ମିଖାଏଲ ନନ୍ଦ)
ତା-୨୩/୧୦
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଦାବିରି ଗ୍ରାମରେ ଏକ ପ୍ରେମ ଜନିତ ମାମଲା ସାମ୍ନାକୁ ଆସିଛି। ପ୍ରେମିକର ବାପା ସମାଧାନ କରିବା ବଦଳରେ ଯୁବତୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଘରୁ ବାହାର କରିଦେଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଯୁବତୀ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପ୍ରାପ୍ତ ସୂଚନା ମୁତାବକ, ଦାବିରୀ ଗ୍ରାମର ସ୍ୱର୍ଗତ କ୍ଷମା ତାଣ୍ଡିଙ୍କ ଝିଅ ଜୟନ୍ତୀ ତାଣ୍ଡି (୧୮) ଗତ ଏକ ବର୍ଷ ହେବ ସେହି ଗ୍ରାମର ପୁସ୍ତମ ଲୁହାରଙ୍କ ପୁଅ ତରୁଣ ଲୁହାର (ଓରଫ ରାଜା)ଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ଏବଂ ଘରୁ ପଳାଇ ଯାଇଥିଲେ। ସେମାନେ କିଛି ଦିନ ତରୁଣଙ୍କ କକାଙ୍କ ଘରେ ରହିଥିଲେ। ପରେ ତରୁଣଙ୍କ ବାପା ପୁସ୍ତମ ଲୁହାର ଉଭୟଙ୍କୁ ନିଜ ଘରକୁ ଆଣିଥିଲେ।
ତେବେ ଅଭିଯୋଗ ଅନୁଯାୟୀ, ଘରକୁ ଆଣିବା ପରେ କୌଣସି ସମାଧାନ କରିବା ପରିବର୍ତ୍ତେ ପୁସ୍ତମ ଲୁହାର ତରୁଣଙ୍କୁ ଅନ୍ୟତ୍ର କେଉଁଆଡ଼େ ପଠାଇ ଦେଇଥିଲେ। ଏଥିସହ ଜୟନ୍ତୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଘରୁ ବାହାର କରିଦେଇଥିଲେ ଏବଂ ଘର ଭିତରକୁ ମଧ୍ୟ ପ୍ରବେଶ କରିବାକୁ ଦେଇନଥିଲେ।
ଏହି ଘଟଣା ନେଇ ପୀଡ଼ିତା ଜୟନ୍ତୀ ତାଣ୍ଡି ଗତ ୨୨.୧୦.୨୦୨୬ ତାରିଖ ସନ୍ଧ୍ୟା ୦୭:୩୦ ସମୟରେ ଖଡ଼ିଆଳ ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଥିଲେ। ଖଡ଼ିଆଳ ପୋଲିସ ଏଫ୍.ଆଇ.ଆର୍.ନଂ ୦୩୯୦/୨୦୨୬ ଅନୁଯାୟୀ BNS ୨୦୨୩ର ଧାରା ୧୩୭(୨), ୨୯୬ ଏବଂ ୩୫୧(୨) ମତେ ମାମଲା ରୁଜୁ କରିଛି। ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏସ୍.ଆଇ. ଅଶୋକ କୁମାର ଏହି ମାମଲାର ତଦନ୍ତ ଚଳାଇଛନ୍ତି।
