*ନିଶାମୁକ୍ତ ଭାରତ ଗଠନର ବାର୍ତ୍ତା ନେଇ ଆସିବ ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍–2027*
ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )୨୩ ଅକ୍ଟୋବର ୨୦୨୬: ନିଶାମୁକ୍ତ ଭାରତ ଗଠନ ଏବଂ ବିକଶିତ ଭାରତର ସଂକଳ୍ପକୁ ଜନମାନସରେ ପହଞ୍ଚାଇବା ଲକ୍ଷ୍ୟରେ ଆସନ୍ତା ୯ ଜାନୁଆରୀ ୨୦୨୭ରେ ଆୟୋଜିତ ହେବାକୁ ଯାଉଛି ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍–୨୦୨୭। ଚଳିତ ବର୍ଷର ମାରାଥନ୍ର ବିଷୟବସ୍ତୁ ରହିଛି ‘ନିଶାମୁକ୍ତ ଅଭିଯାନ, ବିକଶିତ ଭାରତ କି ପେହଚାନ୍’। ଏହି ଅବସରରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାରାଥନ୍ର ଟି-ସାର୍ଟ ଉନ୍ମୋଚନ କରାଯିବା ସହ ପଞ୍ଜୀକରଣ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ, ଟାଟା ଷ୍ଟିଲ୍ର ମୁଖ୍ୟ କ୍ରୀଡ଼ା ଅଧିକାରୀ ଶ୍ରୀ ମୁକୁଲ ବିନାୟକ ଚୌଧୁରୀ, ଟାଟା ଷ୍ଟିଲ୍ ମେରାମଣ୍ଡଳୀର ମୁଖ୍ୟ କର୍ପୋରେଟ୍ ସର୍ଭିସେସ୍ ଶ୍ରୀ ଶୁଭ୍ରାଂଶୁ ଶେଖର ପଣ୍ଡା ଏବଂ ଏମ୍ଜିଏମ୍ ଗ୍ରୁପ୍ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ସୁନୀଲ କୁମାର ମିଶ୍ର ଉପସ୍ଥିତ ଥିଲେ। ଏଥିସହ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ ଏବଂ ଉପଜିଲ୍ଲାପାଳ, ଢେଙ୍କାନାଳ ଶ୍ରୀ ପଦ୍ମଚରଣ ସାହୁ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପାଟିଲ କହିଥିଲେ ଯେ, କପିଳାସର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ଏହି ମାରାଥନ୍କୁ ଏକ ସ୍ୱତନ୍ତ୍ର ମହତ୍ତ୍ୱ ପ୍ରଦାନ କରିଛି। ଏହା ଜିଲ୍ଲା ବାହାରୁ ଆସୁଥିବା ଅତିଥି ଓ ପ୍ରତିଯୋଗୀମାନଙ୍କୁ ଢେଙ୍କାନାଳର ଅପୂର୍ବ ପ୍ରାକୃତିକ ଶୋଭା ସହ ପରିଚିତ କରାଇବାର ଏକ ଉତ୍ତମ ସୁଯୋଗ। ଟାଟା ଷ୍ଟିଲ୍ ସର୍ବଦା ଏଭଳି ଆୟୋଜନ ମାଧ୍ୟମରେ ସମାଜ ପାଇଁ ଏକ ବୃହତ୍ତର ଓ ସକାରାତ୍ମକ ବାର୍ତ୍ତା ପ୍ରସାର କରିବାକୁ ଗୁରୁତ୍ୱ ଦେଇଆସିଛି। ଗତବର୍ଷ ବୀର ବାଜି ରାଉତଙ୍କ ସ୍ମୃତି ଓ ଆଦର୍ଶକୁ କେନ୍ଦ୍ର କରି ମାରାଥନ୍ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ନିଶାମୁକ୍ତ ଭାରତ ଗଠନର ବାର୍ତ୍ତାକୁ ଗୁରୁତ୍ୱ ଦିଆଯାଇଛି।
ଜିଲ୍ଲାପାଳ ଆହୁରି କହିଥିଲେ ଯେ, ଗତବର୍ଷ ଏହି ମାରାଥନ୍ରେ ୫,୦୦୦ରୁ ଅଧିକ ପ୍ରତିଯୋଗୀ ସାମିଲ ହୋଇଥିଲେ। ଏହା ଜନସାଧାରଣଙ୍କ ମଧ୍ୟରେ ଏହି ଆୟୋଜନ ପ୍ରତି ରହିଥିବା ଆଗ୍ରହ ଓ ଉତ୍ସାହକୁ ପ୍ରତିଫଳିତ କରୁଛି। ଚଳିତ ବର୍ଷ ଏହାଠାରୁ ଅଧିକ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ। ମାରାଥନ୍ର ବାର୍ତ୍ତାକୁ ବ୍ୟାପକ ଭାବେ ପ୍ରସାର କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ପଞ୍ଜୀକରଣ ଓ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିବାକୁ ସେ ଗଣମାଧ୍ୟମ ପ୍ରତିନିଧି ଏବଂ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସରମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମାନେ ମାରାଥନ୍ର ସଫଳ ଆୟୋଜନ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏଥିସହ ଆୟୋଜକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ସାମ୍ବାଦିକ ସମ୍ମିଳନୀର ଶେଷ ପର୍ଯ୍ୟାୟରେ ଗଣମାଧ୍ୟମ ପ୍ରତିନିଧିମାନେ ମାରାଥନ୍ର ଆୟୋଜନ ଓ ପ୍ରସ୍ତୁତି ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏଥିସହ ଢେଙ୍କାନାଳ ଜିଲ୍ଲାରେ ହାତୀଙ୍କ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ଟାଟା ଷ୍ଟିଲ୍ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। କ୍ରୀଡ଼ା, ପରିବେଶ ସଚେତନତା ଓ ସାମାଜିକ ଦାୟିତ୍ୱବୋଧକୁ ଏକତ୍ର କରୁଥିବା ଏହି ମାରାଥନ୍ ନିଶାମୁକ୍ତ ସମାଜ ଗଠନ ଦିଗରେ ଏକ ଜନଆନ୍ଦୋଳନର ରୂପ ନେବା ସହ ଢେଙ୍କାନାଳ ଜିଲ୍ଲାର ପରିଚୟକୁ ଜାତୀୟ ସ୍ତରରେ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
