ବିଲକୁ ସାର ପକାଇବା ସାଜିଲା କାଳ! ସାପ କାମୁଡ଼ାରେ ଚାଲିଗଲା ମୂଲ୍ୟବାନ ଜୀବନ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଏହା କେବଳ ଏକ ମୃତ୍ୟୁ ନୁହେଁ, ବରଂ ଜଣେ ଗରୀବ ପରିବାରର ସବୁକିଛି ଉଜୁଡ଼ିଯିବାର ଏକ କରୁଣ ଚିତ୍ର! ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଦହିସଡା ପଞ୍ଚାୟତ ସୁଲତାନପୁର ଗ୍ରାମରେ। ପେଟର ଦାନା ଯୋଗାଡ଼ ପାଇଁ ଯେଉଁ ହାତ ବିଲରେ ମାଟି ତଳୁ ସୁନା ଫଳାଉଥିଲା, ଆଜି ସେହି ହାତ ଦୁଇଟି ସବୁଦିନ ପାଇଁ ଥକି ଯାଇଛି। ମୃତକ ଜଣକ ହେଲେ ୪୨ ବର୍ଷୀୟ ଗୈରାଙ୍ଗ ଖଟୁଆ। ଗତକାଲି ଅପରାହ୍ନରେ ସେ ନିଜ ଜମିକୁ ସାର ବିଷ ପକାଇବାକୁ ଯାଇଥିଲେ। କାମ ସାରି ସନ୍ଧ୍ୟାରେ ହସଖୁସିରେ ଘରକୁ ବି ଫେରିଥିଲେ। କିନ୍ତୁ କିଏ ଜାଣିଥିଲା, ମୃତ୍ୟୁ ତାଙ୍କ ପିଛା କରି ଘରର ଦୁଆରରେ ଆସି ବସିଛି ବୋଲି! ରାତିରେ ଖାଇସାରିବା ପରେ ହଠାତ୍ ତାଙ୍କ ଶରୀରରେ ପ୍ରବଳ ଜଳାପୋଡ଼ା ଅନୁଭବ ହୋଇଥିଲା। କିଛି ସମୟ ପରେ ବାନ୍ତି ହେବା ସହ ପାଟିରୁ ଫେଣ ବାହାରିବାରୁ ପରିବାର ଲୋକଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ିଯାଇଥିଲା। ବିଳମ୍ବ ନକରି ପରିବାର ଲୋକେ ଗୈରାଙ୍ଗଙ୍କୁ ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ, ହେଲେ ସେତେବେଳକୁ ବହୁତ ଡ଼େରି ହୋଇସାରିଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ବିଲରେ କାମ କରୁଥିବା ସମୟରେ ବିଷାକ୍ତ ସାପ କାମୁଡ଼ିବା କାରଣରୁ ହିଁ ଗୈରାଙ୍ଗଙ୍କ ଏଭଳି ଅକାଳ ମୃତ୍ୟୁ ହୋଇଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।
ଗୈରାଙ୍ଗ ଥିଲେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ତାଙ୍କ ମୃତ୍ୟୁ ପରେ ଘରେ ଏବେ ଦୁଇଟି ମାସୁମ ଛୋଟ ପିଲା ଏବଂ ଅସହାୟ ପରିବାର ଅନ୍ଧାରରେ ଅଛନ୍ତି। ମୁଣ୍ଡ ଉପରୁ ବାପାଙ୍କ ଛାୟା ଉଠିଯିବା ପରେ ସେହି ନିରୀହ ପିଲାମାନଙ୍କ ଭବିଷ୍ୟତ ଏବେ ଅନ୍ଧକାରମୟ।ଏହି ମର୍ମନ୍ତୁଦ ଘଟଣା ପରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମବାସୀ ସରକାରଙ୍କୁ ଜୋରଦାର ଦାବି କରିଛନ୍ତି ଯେ, ତୁରନ୍ତ ଏହି ଦୁର୍ଭାଗ୍ୟଜନକ ପରିବାରକୁ ଯଥେଷ୍ଟ ଆର୍ଥିକ ସହାୟତା ଓ କ୍ଷତିପୂରଣ ଦିଆଯାଉ।
