କଳାହାଣ୍ଡି ଜିଲ୍ଲାର ପରମ ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ‘ଛତରଯାତ୍ରା
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
’ ସୋମବାର ଅତ୍ୟନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ଏହି ଆଧ୍ୟାତ୍ମିକ ପର୍ବ ପାଇଁ ଭବାନୀପାଟଣା ସହର ଚଳଚଞ୍ଚଳ ହୋଇଉଠିଛି। ମହାଷ୍ଟମୀ ତିଥିରେ ରାତିସାରା ଗୁପ୍ତପୂଜା ନୀତି ସମ୍ପନ୍ନ ହେବା ପରେ ଭୋର ସମୟରୁ ଜେନାଖାଲଠାରୁ ମା’ଙ୍କ ପବିତ୍ର ‘ବିଜୟ ଛତର’ ମୁଖ୍ୟ ମନ୍ଦିର ଅଭିମୁଖେ ବାହାରିଛି।
ମା’ଙ୍କ ସୁନାବେଶ ଓ ଛତର ଦର୍ଶନ କରି ନିଜର ମାନସିକ ପୂରଣ କରିବା ପାଇଁ କଳାହାଣ୍ଡି ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲା ଓ ରାଜ୍ୟରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଘଣ୍ଟଘଣ୍ଟା, କାହାଳୀ, ମହୁରୀ ଏବଂ ଘୁମୁରା ନୃତ୍ୟର ତାଳେ ତାଳେ ଗଗନପବନ କମ୍ପିଉଠୁଛି।
ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଏବଂ ଭକ୍ତଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ ୯୫ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
ଯାତ୍ରାପଥ, ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ସମ୍ବେଦନଶୀଳ ଅଞ୍ଚଳ ଉପରେ କଡ଼ା ନଜର ରଖିବା ପାଇଁ ୨୫ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏହାସହ ଆକାଶମାର୍ଗରୁ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ସ୍ଥିତି ଅନୁଧ୍ୟାନ କରାଯାଉଛି। ଟ୍ରାଫିକ୍ ସୁପରିଚାଳନା ପାଇଁ କଳାହାଣ୍ଡି ଏସ୍ପିଙ୍କ ପ୍ରତ୍ୟକ୍ଷ ତଦାରଖରେ ସାଂସ୍କୃତିକ ଦଳଗୁଡ଼ିକର ଗତିପଥରେ ସ୍ୱତନ୍ତ୍ର ପରିବର୍ତ୍ତନ କରାଯାଇଛି।
ଅନ୍ୟପଟେ, ଯାତ୍ରା ସମୟରେ ବଳିପ୍ରଥା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରଶାସନ ପକ୍ଷରୁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଛି। ପଶୁବଳିରୁ ନିବୃତ୍ତ ରହିବାକୁ ଲୋକଙ୍କୁ ମାଇକ୍ ମାଧ୍ୟମରେ ପରାମର୍ଶ ଦିଆଯାଉଛି। ତଥାପି ପରମ୍ପରା ଓ ମାନସିକ ରଖିଥିବା କିଛି ଶ୍ରଦ୍ଧାଳୁ କୁକୁଡ଼ା ଓ ବୋଦା ନେଇ ମନ୍ଦିର ନିକଟରେ ପହଞ୍ଚୁଥିବା ଦେଖିବାକୁ ମିଳିଛି
