ସାରସକଣା ବ୍ଲକରେ ଧୁମ୍ଧାମରେ ପାଳିତ ହେଲା ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା:
ଆକର୍ଷଣୀୟ ତୋରଣ, ମନଲୋଭା ମେଢ଼ ଓ ଆଲୋକମାଳାରେ ଝଲସିଲା ଝାରପୋଖରିଆ
______________
ସାରସକଣା,(୧୯/୧୦/୨୬)(ନି.ପ୍ର): ଶାରଦୀୟ ଦୁର୍ଗାପୂଜା ଅବସରରେ ସାରସକଣା ବ୍ଲକର ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଭକ୍ତି, ଶ୍ରଦ୍ଧା ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି।
ସାରସକଣା ବ୍ଲକର ପ୍ରମୁଖ କେନ୍ଦ୍ର ଝାରପୋଖରିଆ(ବମ୍ୱେଛକ)ଠାରେ ଦୁର୍ଗାପୂଜାର ଏକ ଦୀର୍ଘ ପରମ୍ପରା ରହିଛି। ଏଠାରେ ପଣ୍ଡା ପରିବାର ପକ୍ଷରୁ ଦୀର୍ଘ ୩୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ମା’ ଦୁର୍ଗାଙ୍କ ପୂଜା ଆୟୋଜନ କରାଯାଇଆସୁଛି। ସେହିପରି ଏହି ଝାରପୋଖରିଆ ଠାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ମଧ୍ୟ ଗତ ୧୩ ବର୍ଷ ଧରି ଦୁର୍ଗାପୂଜା ଆୟୋଜିତ ହୋଇଆସୁଛି।
ପୂଜାବିଧି ଅନୁଯାୟୀ ମା’ଙ୍କ ବିଲ୍ୱବରଣ, ଷଷ୍ଠୀ, ସପ୍ତମୀ ଓ ଅଷ୍ଟମୀ ପୂଜା ସହ ଚଣ୍ଡୀପାଠ ଏବଂ ବିଭିନ୍ନ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ପୂଜା ମଣ୍ଡପ ଗୁଡ଼ିକରେ ଭକ୍ତିମୟ ପରିବେଶ ସୃଷ୍ଟି କରିଛି।
ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ, ସୁନ୍ଦର ମେଢ଼ ଓ ମନଲୋଭା ଆଲୋକମାଳା ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ଆକର୍ଷଣକୁ ଆହୁରି ବଢ଼ାଇଦେଇଛି।
ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପୂଜା କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତି ଓ ପରମ୍ପରାର ଏହି ମହାନ୍ ପର୍ବ ସାରସକଣାର ବ୍ଲକ ମଧ୍ୟରେ ସାରସକଣା, ମୁରୁଣିଆ, ପଣ୍ଡାବିଲା,ଶୀର୍ଷା,ପାଣ୍ଡରା, ସାନଚାଟରା, ବଡ଼ ଚାଟରା,ଝରଣସାହି, ଜମବଣି,ନୁହାମାଳିଆ,ଖଡିଆଶୋଳ,ରାଜା ଲୋକା ଆଦି ସ୍ଥାନରେ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ମଣ୍ଡପ ଗୁଡ଼ିକ ଚଳଚଞ୍ଚଳ ହେବା ସହିତ ଅଞ୍ଚଳରେ ଧାର୍ମିକ ଉତ୍ସାହ ଓ ଉତ୍ସବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖା ଦେଇଛି । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
