*ଯୌନ ଶୋଷଣ ନିରାକରଣ ସଚେତନତା ବୈଠକ
*ଯୁଦ୍ଧକାଳୀନଭିତ୍ତିରେ ଆଭ୍ୟନ୍ତରିଣ କମିଟି ଗଠନ କରାଯାଉ: ଜିଲ୍ଲାପାଳ
*ଶିକ୍ଷାନୁଷ୍ଠାନମାନଙ୍କରେ ଆୟୋଜିତ ହେବ ସଚେତନତା ଶିବିର
*ଆବାସିକ ବିଦ୍ୟାଳୟ ଗସ୍ତରେ ଯିବେ ଅଧିକାରୀ
ବୌଦ୍ଧ, ୨୦/୦୭(କୃଷ୍ଣଚନ୍ଦ୍ର ସିଂହ): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କୁ ଯୌନ ଶୋଷଣ ନିରାକରଣ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ଶୋଷଣ ନିରାକରଣ, ନିଷେଧ ଓ ସମାଧାନ ଆଇନ- ୨୦୧୩ ସମ୍ପର୍କରେ ସଚେତନ କରାଯାଇଥିଲା l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁ, ଏସ.ଡି.ପି.ଓ. ଆନନ୍ଦ ଚନ୍ଦ୍ର ଡୁଙ୍ଗଡୁଙ୍ଗ, ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡିଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l ସମସ୍ତ କାର୍ଯ୍ୟାଳୟରେ ଏସମ୍ପର୍କିତ ଆଭ୍ୟନ୍ତରୀଣ କମିଟି ଯୁଦ୍ଧକାଳୀନଭିତ୍ତିରେ ଗଠନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଆଭ୍ୟନ୍ତରୀଣ କମିଟିର ବୈଠକ ପ୍ରତି ମାସରେ ବସିବ l ପୋର୍ଟାଲରେ ସମସ୍ତ ଅଭିଯୋଗ ପଞ୍ଜିକୃତ ହେବ l ବିଦ୍ୟାଳୟ, ମହାବିଦ୍ୟାଳୟରେ କମ୍ପ୍ଲେନ ବାକ୍ସ ରହିବ l ପୋଷ ଆକ୍ଟ ସମ୍ବନ୍ଧୀୟ ଅନଲାଇନ ବୈଠକ କରି ଶୀଘ୍ର ବିଦ୍ୟାଳୟମାନଙ୍କରେ ମଧ୍ଯ କମିଟି ଗଠନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଯେକୌଣସି କାର୍ଯ୍ୟାଳୟରେ ୧୦ଜଣ କିମ୍ବା ତଦୁର୍ଦ୍ଧ ଥିଲେ ଏହି କମିଟି ଗଠନ ବାଧ୍ୟ୍ୟତାମୂଳକ ରହିବ l ବିଦ୍ୟାଳୟ ଏବଂ ମହାବିଦ୍ୟାଳୟମାନଙ୍କରେ ସମସ୍ତଙ୍କୁ ସେନସିଟିଭ କରାଯିବା ପାଇଁ ଏନେଇ ସଚେତନତା ଶିବିର ଅନୁଷ୍ଠିତ ହେବ l ବିଭିନ୍ନ ଆବାସିକ ବିଦ୍ୟାଳୟକୁ ମଧ୍ୟ ଅଧିକାରୀମାନେ ବାରମ୍ବାର ପରିଦର୍ଶନ କରିବାକୁ ଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ଏସଏଚଇ ବକ୍ସର ବ୍ୟବହାର ନେଇ ମଧ୍ୟ ପାୱାର ପଏଣ୍ଟରେ ଇ- ଗଭର୍ନେନ୍ସ ମ୍ୟାନେଜର ସମୀର କୁମାର ନାଏକ ଉପସ୍ଥାପନ କରିଥିଲେ l ସମସ୍ତ ବିଡ଼ିଓ, ସିଡିପିଓ ନିଜ ନିଜ ସ୍ତରରେ ସୁପଭାଇଜର, ଅଙ୍ଗନବାଡି କର୍ମୀ, ଆଶାକର୍ମୀଙ୍କୁ ନେଇ ବୈଠକ କରିବେ l ସମସ୍ତ କର୍ମକ୍ଷେତ୍ରରେ ଅଧିକାରୀ, କର୍ମଚାରୀଙ୍କ ମଧ୍ଯରେ ଭାତୃତ୍ବଭାବ ରହିବ ଏବଂ ସମସ୍ତେ ଟିମ ସ୍ପିରିଟ ନେଇ କାମ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ l ବୈଠକ ଆରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କନକଲତା ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ପୂର୍ବକ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ସଭା ଶେଷରେ ଜିଲ୍ଲାପାଳ ବୌଦ୍ଧ ଜିଲ୍ଲାରେ ଏଭଳି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ l
