ରାସ୍ତାରେ କେକ୍ କାଟୁଥିଲେ ୪ ଯୁବକଙ୍କୁ କାବୁ କଲେ ଏସ୍ପି ଢେଙ୍କାନାଳ ସଦର : ଜନ୍ମଦିନ କିମ୍ବା ଅନ୍ୟ କୌଣସି ଖୁସିରେ ରାସ୍ତା ଉପରେ କେକ୍ କାଟିବା ଏବେ ଟ୍ରେଣ୍ଡ୍ ପାଲଟିଛି। ସହରରେ ନିୟମିତ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଏବେ ପୋଲିସ୍ର କାର୍ଯ୍ୟାନୁଷ୍ଠାନ ଆରମ୍ଭହୋଇଛି। ଶନିବାର ରାତିରେ ଢେଙ୍କାନାଳ ସହରର ପ୍ରମୁଖ ଲକ୍ଷ୍ମୀ ବଜାରର ରାସ୍ତା ଉପରେ କେକ୍ କାଟି ଖୁସି ମନାଉଥିବା ୪ ଯୁବକଙ୍କୁ ଖୋଦ୍ ଏସ୍ପି କାବୁ କରିଛନ୍ତି। ଯାହା ଏବେ ସହରର ଚର୍ଚ୍ଚାର ବିଷୟ ପାଲଟିବା ସହ ଏଭଳି କାର୍ଯ୍ୟ କରୁଥିବା ଯୁବକଙ୍କ ଭିତରେ ଛନକା ପଶିଛି। ସୂଚନା ଅନୁସାରେ,ଶନିବାର ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମୀବଜାରର ଏକ ଶାଢ଼ି ଦୋକାନ ସମ୍ମୁଖ ରାସ୍ତାରେ ପ୍ରାୟ ୮ରୁ ୧୦ ଜଣ ଯୁବକ ସ୍କୁଟର ଉପରେ କେକ୍ କାଟୁ ଥିଲେ। ଯାହାଫଳରେ ସେହି ରାସ୍ତାରେ ଗାଡ଼ି ମଟର ଯାତାୟାତରେ ସମସ୍ୟା ଦେଖାଯାଇଥିଲା। ପ୍ରମୁଖ ବଜାର ଅଞ୍ଚଳ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଭିଡ଼ ରହି ଥାଏ। ପୁଣି କେକ୍ କାଟିବା ଯୋଗୁଁ ଅଧିକ ସମସ୍ୟା ଦେଖାଯାଇଥି ଲା। ଏହି ସମୟରେ ଏସ୍ ପି ଆଜି କ୍ୟ ମାନେ ସେହି ରାସ୍ତାରେ ଯାଉଥିବା ବେଳେ ଏହା ଦେଖି ବାକୁ ପାଇଥିଲେ। ତୁରନ୍ତ ଉକ୍ତ ଯୁବକଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ୍କୁ ଦେଖି ଯୁବକମାନେ ଦୌଡି଼ ଛତ୍ରଭଙ୍ଗ ଦେଇଥିଲେ। ୪ ଯୁବକଙ୍କୁ ପୋଲିସ୍ କର୍ମଚାରୀ ଧରିଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ। ଟାଉନ ଥାନା ପୋଲିସ୍ ପହଞ୍ଚି ୪ ଯୁବକଙ୍କ ସହ ସ୍କୁଟରକୁ ଥାନାକୁ ଆଣିଥିଲା। ଯୁବକମାନଙ୍କୁ ଥାନାରେ ଅଟକ ରଖିବା ପରେ ବ୍ୟକ୍ତିଗତ ମୁଚାଲାରେ ଛଡ଼ାଯାଇଛି। ରାସ୍ତାରେ ଏଭଳି କେକ୍ କାଟିବା ଓ ଲୋକଙ୍କୁ ସମସ୍ୟାରେ ପକାଉଥିଲେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଟାଉନ ଥାନା ଅଧିକାରୀ ଧିରେନ କୁମାର ବେହେରା କହିଛନ୍ତି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
