ଆବଣ୍ଟନ ପାଇଁ ଆନ୍ତରିକତା ନାହିଁ ଖତଖାଉଛି କୋଟିକୋଟି ଟଙ୍କାର ବିକ୍ରୟ କେନ୍ଦ୍ର ଭେଣ୍ଡିଜୋନ୍ ।
ଢେଙ୍କାନାଳ ସଦର : ସହରରେ ରହିଥିବା ବିଭିନ୍ନ ବିକ୍ରୟ କେନ୍ଦ୍ର (ଭେଣ୍ଡିଂ ଜୋନ) ଅବ୍ୟବହୃତ ହୋଇ ନଷ୍ଟ ହେବାକୁ ବସିଲାଣି। ଆବଣ୍ଟନ କରିବାକୁ ପୌର କର୍ତ୍ତୃପକ୍ଷ ତତ୍ପରତା ଦେଖାଉନଥିବାରୁ ଭେଣ୍ଡିଂ ଜୋନ ସ୍ଥାପନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭେଣ୍ଡିଂ ଜୋନରେ ବ୍ୟବସାୟ କରିବା ବଦଳରେ ରାସ୍ତା ପାର୍ଶ୍ଵରେ ପସରା ମେଲାଉଥିବାରୁ ଅନେକ ସମୟରେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟିହେଉଛି। ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା (ମୁକ୍ତା) ଅଧାନରେ ସହରର ବିଭିନ୍ନ ୱାର୍ଡରେ କୋଟିକୋଟି ଟଙ୍କା ବ୍ୟୟରେ ଏହି ସବୁ ବିକ୍ରୟ କେନ୍ଦ୍ର ନିର୍ମାଣ କରାଯାଇ ଆବଣ୍ଟନ ପାଇଁ ପୌରପାଳିକାକୁ ଦାୟିତ୍ୱ ଦିଆଯାଇଥିଲା। କେନ୍ଦ୍ର ଗୁଡିକ ବର୍ଷବର୍ଷ ଧରି ପରିତ୍ୟକ୍ତ ହୋଇ ପଡ଼ି ରହିବା ଫଳରେ ଘରଗୁଡିକ ବିଭିନ୍ନ ଭାଙ୍ଗି ରୁଜି ନଷ୍ଟ ହୋଇ ଭୂତକୋଠି ପାଲଟିଗଲାଣି। ଦୀର୍ଘ ବର୍ଷ ଧରି ମୁକୁଳା ପଡ଼ିଥିବା କେନ୍ଦ୍ର ଗୁଡିକୁ କିଛି ଅସାଧୁ ବ୍ୟବସାୟୀ ଚଞ୍ଚକତା କରି ଜବରଦଖଲରେ ରଖି ବ୍ୟବସାୟ ଚଳାଇଥିଲେ। ପୌରପାଳିକା ପକ୍ଷରୁ ସେମାନଙ୍କୁ ହଟାଯିବା ସହ ତାଲା ପକାଯାଇଛି। କୌଣସି ହିତାଧିରୀଙ୍କୁ ଆବଣ୍ଟନ କରାଯାଇନି। ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଜାଗାରେ କେନ୍ଦ୍ର ପରିସର ତଥା ଘର ଗୁଡିକ ନଷ୍ଟ ହେବାକୁ ବସିଲାଣି। ପରିସରରେ ଥିବା ଶୌଚାଳୟ କବାଟ ଭାଙ୍ଗି ଗଲାଣି। ସହରର କାଲଟାକ୍ସ,ବାଜିଚୌକ,କୁଞ୍ଜକାନ୍ତ,ଦେଉଳସାହି,ମହିଷାପାଟ,ଜୁବୁଲିଟାଉନ,ବନମାଳୀପ୍ରସାଦ ଅଞ୍ଚଳରେ ଏହିସବୁ ଭେଣ୍ଡିଂ ଜୋନ୍ ରହିଛି। ବ୍ୟବସାୟୀ ମାନେ ସୁବିଧାରେ ସ୍ଥାୟୀ ଭାବରେ ନିର୍ଦ୍ଦିଷ୍ଟ ଜାଗାରେ ବସି ବ୍ୟବସାୟ କରିବା ପାଇଁ କେନ୍ଦ୍ର ଗୁଡିକ ତିଆରି କରାଯାଇଥିଲା। ଘର ଭଡା ତଥା ସିକ୍ୟୁରିଟି ବାବଦକୁ ବ୍ୟବସାୟୀଙ୍କୁ ସୁହାଇବା ପରି ସ୍ୱଳ୍ପ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା। ହିତାଧିକାରୀଙ୍କ ଉତ୍ସୁକତା ସତ୍ତ୍ୱେ କର୍ତ୍ତୃପକ୍ଷଙ୍କ ଉଦାସୀନତା କାରଣରୁ ଏହିସବୁ କେନ୍ଦ୍ର ଗୁଡିକ ଆବଣ୍ଟନ ହୋଇପାରୁନଥିବା ଅଭିଯୋଗ ହେଉଛି। ଆବେଦନ ପ୍ରକ୍ରିୟା ସରିବା ପରେ ଘର ଆବଣ୍ଟନ କରାଯିବ। ଏଥିନେଇ ପୌରପାଳିକା ଅଧୀନରେ ଥିବା ଟାଉନ ଭେଣ୍ଡିଂ କମିଟି ବୈଠକରେ ସ୍ଥିର କରାଯାଇଛି। ହିତାଧିକାରୀ ମାନଙ୍କୁ କେବେ ଯୋଗାଇ ଦିଆଯିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
