ବାଲିଗୁଡ଼ା ବନଖଣ୍ଡରେ ବନ୍ୟଜନ୍ତୁ ଶିକାର ଓ ଚୋରା କାରବାର ଘଟଣା, ୩ ଜଣ ଧରାପଡ଼ିଲେ
ବାଲିଗୁଡ଼ା, (ନି.ପ୍ର )୧୧/୧୦: କନ୍ଧମାଳ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ଓ ଚୋରା କାରବାର ବିରୋଧରେ ବାଲିଗୁଡ଼ା ବନ ବିଭାଗର ଅଭିଯାନ। ଚିତାବାଘ ଚମଡ଼ାର ବେଆଇନ କାରବାର ସମ୍ପର୍କିତ ଏକ ମାମଲାର ତଦନ୍ତ ସମୟରେ ତିନି ଜଣଙ୍କୁ ଧରାଯାଇଥିବା ବନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ନୋଟ୍ରେ ସୂଚନା ଦିଆଯାଇଛି। ଏହି ଘଟଣାରେ ଚିତାବାଘର ନଖ, ଦାନ୍ତ, ହରିଣର ଖପୁରୀ ସମେତ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଅବଶେଷ ଜବତ କରାଯାଇଛି। ପ୍ରେସ୍ ନୋଟ୍ ଅନୁଯାୟୀ, ଚିତାବାଘ ଚମଡ଼ା ଯୋଗାଣ ଅଭିଯୋଗରେ ଟିକାବାଲି ଥାନା ଅଞ୍ଚଳର ଜାବେଡ଼ି ଗ୍ରାମର ଅମିତାଭଚନ ପ୍ରଧାନ ଏବଂ ସଙ୍କାଶାହି ଗ୍ରାମର ଟୋଫାନ ପ୍ରଧାନଙ୍କୁ ଧରାଯାଇଛି। ଏହି ମାମଲାରେ ଉତ୍ତମ ମାଝୀଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସେହିପରି ଟିକାବାଲି ଥାନା ଅଧୀନ ରାଜିକାଖୋଲ ଗ୍ରାମର ଦିଗମ୍ବର କହଁରଙ୍କୁ ଗାଁ ନିକଟସ୍ଥ ଜଙ୍ଗଲରେ ଦେଶୀ ବନ୍ଧୁକ ବ୍ୟବହାର କରି ଚିତାବାଘ ଶିକାର କରିବା ଅଭିଯୋଗରେ ଧରାଯାଇଥିବା ବନ ବିଭାଗ ସୂଚନା ଦେଇଛି।ତାଙ୍କଠାରୁ ଚାରିଟି ଚିତାବାଘ ନଖ, ଚାରିଟି ଦାନ୍ତ, ଶିଙ୍ଗ ସହିତ ଦୁଇଟି ହରିଣ ଖପୁରୀ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଅବଶେଷ ଜବତ କରାଯାଇଛି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
ଏହି ଅଭିଯାନରେ ବାଲିଗୁଡ଼ା ରେଞ୍ଜ ଅଧିକାରୀ ଡି. ସୁଭାଷ ଚନ୍ଦ୍ର, ଫରେଷ୍ଟର ପ୍ରଭାତ କୁମାର ଦୋରାଙ୍କ ସମେତ ବନ ବିଭାଗର ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।
