*ଢେଙ୍କାନାଳ ମିନି ଷ୍ଟାଡିଅମ ରେ ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳିତ ।* ଢ଼େଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଅକ୍ଟୋବର ୧୧- ଆଜି ଢ଼େଙ୍କାନାଳରେ ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳିତ ହୋଇଯାଇଛି। ଏହିି ଉପଲକ୍ଷେ ପୂର୍ବାହ୍ନରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଉତ୍ସବରେ , ଅବସରପ୍ରାପ୍ତ ସି.ବି.ଆଇ. ଜଜ୍ ଶ୍ରୀ ଭିକାରୀ ଚରଣ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନେ ରାଷ୍ଟ୍ରର ଶ୍ରେଷ୍ଠ ସମ୍ବଳ, ସେମାନଙ୍କ ପ୍ରତି ବିଶେଷ ଯତ୍ନବାନ ହେବା ଆମମାନଙ୍କର ପ୍ରଥମ ଦାୟୀତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରି ଜ୍ଞାନର ଆଲୋକରେ ପ୍ରକାଶିତ କରାଇବା ଆମମାନଙ୍କର କର୍ତ୍ତବ୍ୟ । ଶିଶୁମାନଙ୍କୁ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରିବା ସହିତ ବାଲ୍ୟ ବିବାହ ନିରୋଧ ପ୍ରତି ସଜାଗ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ । ସମାଜରେ ପ୍ରତିଷ୍ଠା ଲାଭ ପାଇଁ ଶିକ୍ଷା ଓ ଜ୍ଞାନ ଆହରଣ ମୁଖ୍ୟ ଅସ୍ତ୍ର ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ପ୍ରକାଶ କରିଥିଲେ । ଅଭିଭାବକମାନେ ପୁଅ – ଝିଅଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନ ରଖି ସେମାନଙ୍କୁ ସମାନ ଦୃଷ୍ଟିରେ ଦେଖି ଗଢ଼ିବା ଉଚ଼ିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ । ଶିଶୁମାନଙ୍କୁ ଉଚ଼ିତ ଶିକ୍ଷା ଓ ସୁଯୋଗ ପ୍ରଦାନ କଲେ , ସେମାନେ ଦେଶର ସାମୂହିକ ଉନ୍ନତିରେ ବିଶେଷ ଭାବରେ ସହାୟକ ହେବେ ବୋଲି କହିଥିଲେ । ଶ୍ରୀ ନିରଞ୍ଜନ ପାଢ଼ୀ, ଏ.ଏସ୍.ପି. (ଡ଼ି.ଆଇ.ବି.), ଶ୍ରୀ ଗଣେଶ୍ଵର ବେହେରା, ଡ଼ି. ଡ଼ି. ( ପ୍ରୋସେକ୍ୟୁସନ୍) ଏବଂ ଶ୍ରୀ ଗୋଲକ ବିହାରୀ ପାଣିଗ୍ରାହୀ, ସି.ଡବ୍ଲୁ.ସି. ର ଚେୟାର ପର୍ସନ ଅତିଥି ଭାବେ ଯୋଗ ଦେଇ, ଶିଶୁମାନଙ୍କର ନ୍ୟାର୍ଯ୍ୟ ଅଧିକାର, ସେମାନଙ୍କର ସୁରକ୍ଷା, ବାଲ୍ୟ ବିବାହ ଦ୍ୱାରା ଉପୁଜୁଥିବା ସମସ୍ଯା ଓ ଏହାର ନିରାକରଣ ପାଇଁ ଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ସହର ମଧ୍ୟରେ ଶୋଭାଯାତ୍ରା କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଇନ୍ଦୁରେଖା ପଶ୍ଚିମକବାଟ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ସଦର ଏସ. ଡ଼ି. ପି. ଓ. ଶ୍ରୀ ରମେଶ ଚନ୍ଦ୍ର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।
