ଗଞ୍ଜାମରେ ନବସୃଜନଙ୍କୁ ପ୍ରୋତ୍ସାହନ: ୨୯ ଶିକ୍ଷାନୁଷ୍ଠାନରେ ଓଏସଏଫଆଇସି ସଚେତନତା
ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍ ଓ ନବସୃଜନଙ୍କୁ ଅକ୍ଟୋବର ୩୧ ସୁଦ୍ଧା ପଞ୍ଜୀକରଣ ପାଇଁ ଅନୁରୋଧ
ବ୍ରହ୍ମପୁର, ତା. ୦୯/୧୦: ଯୁବପିଢ଼ି, ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍, ଉଦ୍ୟୋଗୀ, ଏମ୍ଏସ୍ଏମ୍ଇ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ନବସୃଜନଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ (ଓଏସଏଫଆଇସି) ଆରମ୍ଭ ହୋଇଛି। ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ବାସ୍ତବ ଜୀବନର ସମସ୍ୟାର ନୂତନ ଓ ପ୍ରାୟୋଗିକ ସମାଧାନ ପାଇଁ ନବପ୍ରତିଭାଙ୍କୁ ସୁଯୋଗ ଦିଆଯାଉଛି।
ଗଞ୍ଜାମରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଇତିମଧ୍ୟରେ ଜିଲ୍ଲାର ୨୯ଟି ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ହୋଇସାରିଛି। ଏହି କ୍ରମରେ ଆଜି କୁକୁଡାଖଣ୍ଡିସ୍ଥିତ +୨ ବିଜ୍ଞାନ କଲେଜ, ବ୍ରହ୍ମପୁର, ଖଲିକୋଟ ଓ ଶେରଗଡ ବ୍ଲକ ଅଧିନସ୍ଥ ତିନୋଟି ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ଆଇଟିଆଇ ଶେରଗଡରେ ଏହି କାର୍ଯ୍ୟକ୍ରମକୁ ସଂଗଠିତ କରାଯାଇଅଛି ।
ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ନୂଆ ଚିନ୍ତାଧାରା ପ୍ରସ୍ତୁତ କରି ପୋର୍ଟାଲରେ ପଞ୍ଜୀକରଣ ପାଇଁ ଅନୁରୋଧ କରାଯାଇଛି। ବିଶେଷଜ୍ଞ ଓ ଶିଳ୍ପ ବିଭାଗର ଅଧିକାରୀମାନେ ମାର୍ଗଦର୍ଶନ ପ୍ରଦାନ କରୁଛନ୍ତି। ଅକ୍ଟୋବର ୧୬ ସୁଦ୍ଧା ୪୦ଟି ଶିକ୍ଷାନୁଷ୍ଠାନରେ ଏହି ଅଭିଯାନ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି।
ଓଏସଏଫଆଇସିରେ ଛାତ୍ର ନବସୃଜନ, ଯୁବ ନବସୃଜନ ଓ ତୃଣମୂଳ ନବସୃଜନ—ଏହି ତିନିଟି ବର୍ଗରେ ଅଂଶଗ୍ରହଣର ସୁଯୋଗ ରହିଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ, କାରିଗର, ପ୍ରଗତିଶୀଳ ଚାଷୀ, ଏସ୍ଏଚ୍ଜି, ଏଫ୍ପିଓ ଓ ସାଧାରଣ ନାଗରିକ ଏଥିରେ ଭାଗ ନେଇପାରିବେ।
ଆଗ୍ରହୀ ବ୍ୟକ୍ତି ମାନେ ଅକ୍ଟୋବର ୩୧ ସୁଦ୍ଧା osfic.startupodisha.org ପୋର୍ଟାଲରେ ନିଜକୁ ପଞ୍ଜୀକରଣ କରିବା ପରେ ପୋର୍ଟାଲରେ ଥିବା ସମସ୍ଯାଗୁଡିକ ଚିହ୍ନଟ କରି ନିଜର ନୂଆ ଚିନ୍ତାଧାରା ଓ ସମାଧାନ ଦାଖଲ କରିବାକୁ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଆହ୍ୱାନ କରାଯାଇଛି।
