*ଚିତ୍ରାଙ୍କନ ପ୍ରତିଯୋଗିତାରେ ନୂଆଁପାଲି ନବପ୍ରଭାତ ବିଦ୍ୟାୟତନର ସଫଳତା* ।
ବରଗଡ :, ୦୮/୧୦: (ନି ପ୍ର) ଚିତ୍ରାଙ୍କନ ପ୍ରତିଯୋଗିତାରେ ନୂଆଁପାଲି ନବପ୍ରଭାତ ବିଦ୍ୟାୟତନ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ପରିବେଶ ଓ ପ୍ରକୃତି ସୁରକ୍ଷାକୁ ନେଇ ଆୟୋଜିତ ସିଟ୍ ଆଣ୍ଡ ଡ୍ର ପ୍ରତିଯୋଗିତାରେ ବିଦ୍ୟାଳୟର ଦୁଇ ଛାତ୍ରଛାତ୍ରୀ ନିଜ ଚିତ୍ରକଳା ପ୍ରତିଭାର ପରିଚୟ ଦେଇଛନ୍ତି। ବନ ବିଭାଗ ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ଉଭୟ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।‘ପ୍ରକୃତି ପାଇଁ ମଣିଷ’ ବିଷୟକ ଜୁନିୟର ବିଭାଗରେ ସପ୍ତମ ଶ୍ରେଣୀର ଛାତ୍ର ବୟନ୍ତ ସାହୁ ସଫଳତା ଅର୍ଜନ କରିଥିବାବେଳେ, ‘ପ୍ରକୃତି ଭିତରେ ମଣିଷ’ ବିଷୟକ ସିନିୟର ବିଭାଗରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଦୀପଶିଖା ଗହୀର ସଫଳତା ହାସଲ କରିଛନ୍ତି। ଚିତ୍ର ମାଧ୍ୟମରେ ପ୍ରକୃତି ସୁରକ୍ଷା, ପରିବେଶ ସଚେତନତା ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଉପସ୍ଥାପନ କରି ଉଭୟ ଛାତ୍ରଛାତ୍ରୀ ବିଚାରକମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନଙ୍କ ସଫଳତା ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଚିତ୍ରକଳା ଓ ସୃଜନଶୀଳତା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଛି। ଏହି ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ସହପାଠୀମାନେ ବୟନ୍ତ ସାହୁ ଓ ଦୀପଶିଖା ଗହୀରଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
