ଆଗାମୀ ଦୁର୍ଗା ପୂଜା ପାଇଁ ସୋର ଥାନାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଆଗାମୀ ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳା ଏବଂ ଭାଇଚାରା ମଧ୍ୟରେ ପାଳନ କରିବା ପାଇଁ ସୋର ଥାନା ପରିସରରେ ଏକ ପ୍ରସ୍ତୁତି ଓ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି ବୈଠକରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଏବଂ ସାମାଜିକ କର୍ମୀମାନେ ଯୋଗଦେଇଥିଲେ। ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପରେଶ ରାଉତ ଯୋଗଦେଇ ପୂଜା ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ସହ ମୂର୍ତ୍ତି ବିସର୍ଜନ ସମୟରେ ଡାକ୍ତରଖାନା ରୋଡ୍ କୁ ସାଇଲେଣ୍ଟ ଜୋନ୍ ଘୋଷଣା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଶୋଭାଯାତ୍ରା ଏବଂ ମୂର୍ତ୍ତି ବିସର୍ଜନ ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଶାନ୍ତିବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେହିପରି ସୋର ବିଧାୟକ ମାଧବ ଧଡା, ତହସିଲଦାର କୃଷ୍ଣ ମୋହନ ସିଂହ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନ, ବ୍ଲକ ଚେୟାରମେନ ଅନୁସୟା ମଲ୍ଲିକ, ଟାଟା ପାୱାର ଜେଇ ନାଗାର୍ଜୁନ, ସୋର ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ୱାଳ ଏବଂ ସୋର ଥାନାଧିକାରୀ ଅନୁରାଗ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପୂଜା ପାଳନ ସମୟରେ ସରକାରୀ ନିୟମାବଳୀ, ପରିବେଶ ସୁରକ୍ଷା ଏବଂ ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବା ପାଇଁ ଆହ୍ୱାନ କରିଥିଲେ। ସେହିପରି ବିଧାୟକ ମାଧବ ଧଡା ପୂଜା ପୂବରୁ ନିଜ ଉନ୍ନୟନ ପାଣ୍ଠିରୁ ସୋର ର ବିଭିନ୍ନ ସ୍ଥାନରେ ସିସି ଟିଭି ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପୂଜା ମଣ୍ଡପଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରଶାସନର ଏହି ପଦକ୍ଷେପ ସୋର ଅଞ୍ଚଳରେ ଏକ ଶାନ୍ତିପୂର୍ଣ୍ଣ ଏବଂ ଆନନ୍ଦଦାୟକ ପରିବେଶରେ ଦୁର୍ଗା ପୂଜା ସମ୍ପନ୍ନ ହେବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
