*ବାଲିମି ଛକରେ ମିଲେଟ୍ ଟିଫିନ୍ ସେଣ୍ଟର ଉଦ୍ଘାଟିତ*
ଢେଙ୍କାନାଳ, (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ତା. ୦୬.୧୦.୨୦୨୬
ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଲିମି ଛକଠାରେ ଆଜି ଏକ ମିଲେଟ୍ ଟିଫିନ୍ ସେଣ୍ଟର ଉଦ୍ଘାଟିତ ହୋଇଛି। ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି ମିଲେଟ୍ ଟିଫିନ୍ ସେଣ୍ଟରଟି ଶକ୍ତି ମା’ ଅମ୍ବିକା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏହାର ପରିଚାଳନା ଓ କାର୍ଯ୍ୟକାରିତାରେ ଫାର ଏନଜିଓ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଉଛି। ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ମିଲେଟ୍ ଭିତ୍ତିକ ଖାଦ୍ୟ ଉପଲବ୍ଧ କରାଯିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଜୀବିକା ସୁଦୃଢ଼ କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ହେମନ୍ତ କୁମାର ପଢ଼ିହାରୀ, ହିନ୍ଦୋଳ ବ୍ଲକର ବିଡିଓ ଶ୍ରୀ କଲ୍ୟାଣ ସୌରଭ ଦାଶ, ହିନ୍ଦୋଳ ବିଧାୟିକାଙ୍କ ପ୍ରତିନିଧି ଶ୍ରୀ କେଶବ ଚନ୍ଦ୍ର ସାମଲ, କରନ୍ଦା ସରପଞ୍ଚ ଶ୍ରୀ ଦୁଷ୍ମନ୍ତ ନାୟକ, ରଞ୍ଜାଗୋଳ ସରପଞ୍ଚ ଶ୍ରୀ ରମେଶ ଚନ୍ଦ୍ର ବିଶ୍ୱାଳ, ଶ୍ରୀ ଅନ୍ନ ଅଭିଯାନର ସ୍କିମ୍ ଅଫିସର ପଦାରବିନ୍ଦ ସାହୁ, ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ମିଲେଟ୍ର ଉପକାରିତା, ପୁଷ୍ଟିଗୁଣ ଓ ଦୈନନ୍ଦିନ ଖାଦ୍ୟରେ ଏହାର ବ୍ୟବହାରକୁ ଅଧିକ ଲୋକପ୍ରିୟ କରିବା ସହ ମିଲେଟ୍ ଭିତ୍ତିକ ଖାଦ୍ୟର ପ୍ରସାର ଦିଗରେ ଏହି ପଦକ୍ଷେପ ସହାୟକ ହେବ।
ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଆଗାମୀ ଦିନରେ ଆହୁରି ୪ଟି ମିଲେଟ୍ ଟିଫିନ୍ ସେଣ୍ଟର ଉଦ୍ଘାଟନ କରାଯିବାର ଯୋଜନା ରହିଛି। ଏହା ମାଧ୍ୟମରେ ମିଲେଟ୍ ଭିତ୍ତିକ ପୁଷ୍ଟିକର ଖାଦ୍ୟର ପ୍ରଚାର ସହ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ମଧ୍ୟ ଅଧିକ ଗତି ମିଳିବ।
