*ନୂଆପଡ଼ାରେ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ ପରିବେଷିତ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୦୬/୧୦:
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ପାଳନ ଅବସରରେ ଦେଶବ୍ୟାପୀ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ–୨୦୨୬’ ପରିପ୍ରେକ୍ଷୀରେ ନୂଆପଡ଼ାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନମୋ ସେବା ଗାଥା’ ଶୀର୍ଷକ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ଶ୍ରୀ ଜୟ ଢୋଲକିଆ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କ୍ଷମାନିଧି ଭୋଇ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ୍ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଖରିଆର ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ, ଜିଲ୍ଲା ପରିଷଦ ସଦସ୍ୟ ମୁରଲୀଧର ଭୋଇ, ମାଲ୍ୟବନ୍ତ ସୁନା ଓ ଉମା ଠାକୁର, ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ ସିଂ ମାଝୀ, ବରିଷ୍ଠ ଆଇନଜୀବୀ ପ୍ରସନ୍ନ ପାଢ଼ୀ ଏବଂ ଅନୁସୂଚିତ ଜାତି ରାଜ୍ୟ ସାଧାରଣ ସମ୍ପାଦକ ମଣିଜର ଆର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ।
‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକରେ କଳାକାରମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ, ସଂଘର୍ଷ, ନିରନ୍ତର ସେବା ଓ ରାଷ୍ଟ୍ର ପ୍ରତି ସମର୍ପଣର ଭାବନାକୁ ନାଟକୀୟ ଢଙ୍ଗରେ ଉପସ୍ଥାପନ କରିଥିଲେ। ଏଥିସହ ସ୍ୱଚ୍ଛତା, ସୁଶାସନ, ଜନସେବା ଓ ଦେଶର ବିକାଶ ଭଳି ବିଷୟବସ୍ତୁକୁ କଳାତ୍ମକ ଭାବେ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା।
ଏହି ଅବସରରେ ବକ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ଜୀବନର ସଂଘର୍ଷ, ସେବା ଓ ସମର୍ପଣର ଭାବନା ସହିତ ଦେଶର ବିକାଶ ଯାତ୍ରା, ସ୍ୱଚ୍ଛତା, ସୁଶାସନ ଏବଂ ଲୋକକଲ୍ୟାଣମୂଳକ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ।
ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା କାର୍ଯ୍ୟକ୍ରମର ସୁଚାରୁ ଆୟୋଜନ ଓ ପରିଚାଳନାରେ ସମନ୍ୱୟ ରକ୍ଷା କରିଥିଲେ। ଜିଲ୍ଲା ସମ୍ବଳ ସଂଯୋଜକ ଅନିଲ କୁମାର ଲେଙ୍କା ମଞ୍ଚ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଦର୍ଶକ, ସାଂସ୍କୃତିକପ୍ରେମୀ, ସ୍ୱେଚ୍ଛାସେବୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ପଥପ୍ରାନ୍ତ ନାଟକର ମନୋଜ୍ଞ ପରିବେଷଣ ଉପଭୋଗ କରିଥିଲେ।
