ବାଲିଗୁଡ଼ା ସମିତି ସଭ୍ୟ–ସଭ୍ୟାଙ୍କୁ ବିଡିଓଙ୍କ ଅଣଦେଖା ଅଭିଯୋଗ
ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ, ୭ ଦିନ ମଧ୍ୟରେ ସମାଧାନ ନହେଲେ ଧାରଣା ଚେତାବନୀ।
ବାଲିଗୁଡ଼ା: (ନି.ପ୍ର )୧/୧୦ ବାଲିଗୁଡ଼ା ବ୍ଲକର ସମିତି ସଭ୍ୟ–ସଭ୍ୟାମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି। ଏନେଇ ବାଲିଗୁଡ଼ା ବ୍ଲକ ସମିତି ସଭ୍ୟ ସଂଘ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରକଳ୍ପ ସମ୍ପର୍କରେ ସମିତି ସଭ୍ୟ–ସଭ୍ୟାମାନଙ୍କୁ ଅବଗତ କରାଯାଉନାହିଁ। ପ୍ରକଳ୍ପର ସ୍ଥିତି ସମ୍ପର୍କରେ ପଚାରିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଉଥିବା ଅଭିଯୋଗ ହୋଇଛି।
ଏପରିକି ସମିତି ସଭ୍ୟମାନେ ବିଭିନ୍ନ ସମୟରେ ଆଲୋଚନା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସମୟ ନାହିଁ ବୋଲି କଥା ଏଡ଼ାଇ ଦିଆଯାଉଥିବା ସଂଘ ପକ୍ଷରୁ କୁହାଯାଇଛି। ନିର୍ବାଚିତ ଜନପ୍ରତିନିଧିଙ୍କୁ ଅବଗତ ନକରି ଅନେକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ସଂଘର କହିବା ଅନୁଯାୟୀ, ନିର୍ବାଚିତ ସମିତି ସଭ୍ୟ–ସଭ୍ୟାମାନଙ୍କୁ ଉନ୍ନୟନ କାର୍ଯ୍ୟରେ ସାମିଲ ନକରିବା ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଜନପ୍ରତିନିଧିଙ୍କ ପ୍ରତି ସମ୍ମାନର ପ୍ରଶ୍ନ ଉଠାଉଛି। ତେଣୁ ଏହି ଅଭିଯୋଗର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଅଛି।
