ପୋଖରୀ ରେ ବୁଡି ଲିଭିଗଲା ଗଣେଷଙ୍କ ଜୀବନ ଦୀପ: ସରକାରୀ ସହାୟତା ଦାବି
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ଥାନା ଅନ୍ତର୍ଗତ ସାଜନପୁର ପଞ୍ଚାୟତ ଶିରାପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଧୋଇବା ସମୟରେ ପୋଖରୀ ପାଣିରେ ବୁଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ଗଣେଷ ଚନ୍ଦ୍ର ଜେନା। ମିଳିଥିବା ସୂଚନା ଅନୁଯାୟୀ, ଗଣେଷ ନିଜ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତାଙ୍କ ଖୁଡ଼ି ମଧ୍ୟ ସେହି ଗାଡ଼ିଆକୁ ଠାକୁର ବାସନ ମାଜିବାକୁ ଯାଇଥିଲେ। ସେ ଗଣେଷଙ୍କୁ ପାଣିରେ ବୁଡ଼ି ଯାଉଥିବାର ଦେଖି ପାଟିକରି ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଶ୍ରୀ ଜେନାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ, ଶୋକସନ୍ତପ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି। ଘଟଣା ସମ୍ପର୍କରେ ଖବର ପାଇ ସୋର ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।
