ପର୍ଯ୍ୟଟନ ବିକାଶ ନେଇ ଭଞ୍ଜନଗର ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ।
ଭଞ୍ଜନଗର-୩୦/୦୯ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା )
ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ମାନ୍ୟବର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ, ମାନ୍ୟବର ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଏବଂ ଭଞ୍ଜନଗର ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଗୋପୋବନ୍ଧୁ ମହାପାତ୍ର ଯୋଗଦେଇ ଭଞ୍ଜନଗର ଅଞ୍ଚଳରେ ପର୍ଯ୍ୟଟନ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, ପର୍ଯ୍ୟଟକଙ୍କ ସୁବିଧା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରିତ ଭାବେ ଆଗେଇ ନେବା ଉପରେ ଗୁରୁତ୍ୱ ଦେଇଥିଲେ।ବୈଠକ ରେ ଭଞ୍ଜନଗର ଅଞ୍ଚଳର ପର୍ଯ୍ୟଟନ ବିକାଶ ସମ୍ପର୍କରେ ଆଲୋଚନା କରି ଉପଜିଲ୍ଲାପାଳ ଶ୍ରୀ ବେହେରା କହିଥିଲେ ଯେ, ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଉନ୍ନତି ସହିତ ପର୍ଯ୍ୟଟକଙ୍କ ଅନୁଭୂତିକୁ ଆହୁରି ସୁନ୍ଦର ଓସୁବିଧା ଜନକ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେବ।ମୁଖ୍ୟ ସଚିବଙ୍କ ପରାମର୍ଶ ଅନୁଯାୟୀ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକ ଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବାଧିକ ପ୍ରାଥମିକତା ଦେବା ସହିତ ସ୍ୱଚ୍ଛତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ସେ କହିଥିଲେ ଯେ, ନିକଟରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ୍ ଭି., ବନବିହାର ପରିଦର୍ଶନ କରି ଏହାର ପର୍ଯ୍ୟଟନ ସମ୍ଭାବନାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ବନବିହାର ଅଞ୍ଚଳରେ ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି ପାଇଁ ବୋଟିଂ ବ୍ୟବସ୍ଥା, ଭଞ୍ଜନଗର ଘାଇ ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଏବଂ ଭାସମାନ ରେଷ୍ଟୁରାଣ୍ଟ ପ୍ରତିଷ୍ଠା ଭଳି ନୂତନ ଓ ଆକର୍ଷଣୀୟ ପର୍ଯ୍ୟଟନ ସୁବିଧା ବିକଶିତ କରିବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।
ଉପଜିଲ୍ଲାପାଳ ଆହୁରି କହିଥିଲେ ଯେ, ପର୍ଯ୍ୟଟନ ବିକାଶ କାର୍ଯ୍ୟକୁ ଅଧିକ ସୁସଂଗଠିତ ଓ ଫଳପ୍ରସୁ କରିବା ପାଇଁ ଉପଖଣ୍ଡ ସ୍ତରୀୟ ପର୍ଯ୍ୟଟନ ବିକାଶ କମିଟି ଗଠନ କରାଯିବ। ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ଓ ଅନ୍ୟ ସଦସ୍ୟମାନେ ରହିବେ। କମିଟି ପକ୍ଷରୁ ଉପଖଣ୍ଡର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ସମ୍ଭାବନା ଚିହ୍ନଟ, ଭିତ୍ତିଭୂମି ବିକାଶ, ପ୍ରକଳ୍ପ ପ୍ରସ୍ତୁତି, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ପର୍ଯ୍ୟଟନ ସମ୍ପର୍କିତ ଯୋଜନାର ଅନୁଧ୍ୟାନ କରାଯିବ।ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଜନକ କୁମାର ତରାଇ ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ବିଭିନ୍ନ ସରକାରୀ ଯୋଜନା, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶର ସୁଯୋଗ, ଉପଲବ୍ଧ ସରକାରୀ ସୁବିଧା ଓ ପ୍ରୋତ୍ସାହନ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ସ୍ଥାନୀୟ ଉଦ୍ୟୋଗୀ ଓ ନିବେଶକ ମାନେ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ କରି ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ଓ ରିହାତିର ସୁଯୋଗ ନେଇପାରିବେ ବୋଲି ସେ କହିଥିଲେ।ବୈଠକରେ ଭଞ୍ଜନଗର, ବୁଗୁଡ଼ା ଓ ଉପଖଣ୍ଡ ଅଞ୍ଚଳର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ବିକାଶ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ରାସ୍ତା, ପାନୀୟ ଜଳ, ଶୌଚାଳୟ, ଆଲୋକୀକରଣ, ପାର୍କିଂ, ସ୍ୱଚ୍ଛତା, ବସିବା ବ୍ୟବସ୍ଥା, ସୂଚନା ଫଳକ ଆଦି ମୌଳିକ ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏଥିସହ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ, ସଂସ୍କୃତି ଓ ସ୍ଥାନୀୟ ପରମ୍ପରାକୁ ଆଧାର କରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର-ପ୍ରସାରକୁ ବ୍ୟାପକ କରିବା ନେଇ ଆଲୋଚନା ହୋଇଥିଲା। ପର୍ଯ୍ୟଟନର ବିକାଶ ଦ୍ୱାରା ସ୍ଥାନୀୟ ଯୁବକଯୁବତୀ ଓ ଲୋକମାନଙ୍କ ପାଇଁ ରୋଜଗାର, ଆୟ ଓ ଉଦ୍ୟୋଗ ସୃଷ୍ଟିର ସୁଯୋଗ ବୃଦ୍ଧି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲ। ଉପଜିଲ୍ଲାପାଳ ଶ୍ରୀ ବେହେରା ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିଜ ନିଜ ବିଭାଗ ସମ୍ପର୍କିତ ପର୍ଯ୍ୟଟନ ବିକାଶ କାର୍ଯ୍ୟକୁ ସମନ୍ୱୟର ସହିତ ତ୍ୱରାନ୍ୱିତ କରିବାକୁ କହିଥିଲେ। ପର୍ଯ୍ୟଟନସ୍ଥଳୀର ସୁରକ୍ଷା, ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେଇ ଏକ ସୁସ୍ଥାୟୀ, ସୁରକ୍ଷିତ ଓ ଆକର୍ଷଣୀୟ ପର୍ଯ୍ୟଟନ ବ୍ୟବସ୍ଥା ଗଢ଼ି ତୋଳିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ।ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା, ସହାୟକ ଉପଜିଲ୍ଲାପାଳ ଶ୍ରୀମତୀ ଚନ୍ଦ୍ରଗିରି ଗାୟତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଭାରତୀ ଦେବୀ, ବୁଗୁଡ଼ା ବିଡିଓ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ପ୍ରଧାନ, ବୁଗୁଡ଼ା ଓ ଭଞ୍ଜନଗର ଥାନା ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।
