*ବୋଡ଼େନରେ ବିପର୍ଯ୍ୟୟ ମୁକାବିଲା ତାଲିମ: ଛାତ୍ରଛାତ୍ରୀଙ୍କୁ ସୁରକ୍ଷା କୌଶଳ ପ୍ରଦର୍ଶନ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା.-୨୮/୦୯:
ଜିଲ୍ଲା ପ୍ରଶାସନ, ନୂଆପଡ଼ା, ପଞ୍ଚାୟତ ସମିତି, ବୋଡ଼େନ ଓ ଏନ୍ଡିଆର୍ଏଫ୍, କଟକର ମିଳିତ ଆନୁକୂଲ୍ୟରେ ବୋଡ଼େନସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିପର୍ଯ୍ୟୟ ମୁକାବିଲା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିପର୍ଯ୍ୟୟ ସମୟରେ ସତର୍କତା, ନିଜକୁ ସୁରକ୍ଷିତ ରଖିବା ଓ ଅନ୍ୟମାନଙ୍କୁ ଉଦ୍ଧାର କରିବାର କୌଶଳ ସମ୍ପର୍କରେ ସଚେତନ କରାଯାଇଥିଲା।
ଏନ୍ଡିଆର୍ଏଫ୍ ଇନ୍ସପେକ୍ଟର ପ୍ରିୟରଞ୍ଜନ ମହାନ୍ତି ବନ୍ୟା, ବାତ୍ୟା, ଭୂମିକମ୍ପ, ସର୍ପାଘାତ, ଅଗ୍ନିକାଣ୍ଡ ଓ ବଜ୍ରପାତ ଭଳି ବିପର୍ଯ୍ୟୟ ସମୟରେ ଅବଲମ୍ବନୀୟ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏଥିସହ ଆଶୁ ଚିକିତ୍ସା, ଉଦ୍ଧାର ଓ ବିପର୍ଯ୍ୟୟ ମୁକାବିଲାର ବିଭିନ୍ନ କୌଶଳର ବ୍ୟବହାରିକ ପ୍ରଦର୍ଶନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଏନ୍ଡିଆର୍ଏଫ୍ର ହାବିଲଦାର ମହମ୍ମଦ ଅର୍ଫାତ, କନଷ୍ଟେବଳ ବୈକୁଣ୍ଠ ରାଓ, ସନ୍ୟାସୀ ରାଓ ଓ କେ.ସି. ନାଏକ ସହଯୋଗ କରିଥିଲେ। ଅଧ୍ୟାପକ ସାମୁଏଲ ଦାନି, ଆକାଂକ୍ଷୀ ବ୍ଲକ ସହଯୋଗୀ ରାକେଶ କୁମାର ଷଡ଼ଙ୍ଗୀଙ୍କ ସମେତ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଅଧ୍ୟାପକ ଅଶରଫ ଅଲି ଧନ୍ୟବାଦ ଅର୍ପଣ କରିଥିଲେ।
