*ନୂଆପଡ଼ାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ ପ୍ରଚାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କଲେ ଜିଲ୍ଲାପାଳ।*
ନୂଆପଡା(ମିଖାଏଲ ନନ୍ଦ)
ତା. ୨୫/୦୯:
ସମବାୟ ବ୍ୟବସ୍ଥାକୁ ଆହୁରି ସଶକ୍ତ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ‘ମେଗା ସଦସ୍ୟତା ମହାଅଭିଯାନ–ସମ୍ବନ୍ଧ’ର ଶୁଭାରମ୍ଭ ହୋଇଯାଇଛିl
ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଓୟୁଏଟି) କୃଷି ଶିକ୍ଷା ସଦନଠାରେ ଆୟୋଜିତ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ନୂଆପଡ଼ାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଦମକଳ କେନ୍ଦ୍ର ନିକଟସ୍ଥ ପଥପ୍ରାନ୍ତ ସୁବିଧା କେନ୍ଦ୍ର, ମହୁଅଭଟାଠାରେ ଅନୁଷ୍ଠିତ ହୋଇଛି।
କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଦାଶ ସମବାୟ ସଦସ୍ୟତା ପଞ୍ଜୀକରଣ ସଚେତନତା ପାଇଁ ପ୍ରଚାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପ୍ରଚାର ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ସମବାୟ ସଦସ୍ୟତା ଗ୍ରହଣ ଓ ଏହାର ସୁବିଧା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବ।
‘ସମ୍ବନ୍ଧ’ ଅଭିଯାନରେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମରେ ଜଣେ ସଦସ୍ୟଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟ ରହିଛି।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଲୋକ ପ୍ରତିନିଧି ସାମିଲ ହୋଇଥିଲେ।
