*ଖଡ଼ିଆଳରେ ଜିଲ୍ଲା ମେଡିକାଲ ବୋର୍ଡ ବୈଠକ ଅନୁଷ୍ଠିତ: ଏଣିକି ମାସକୁ ୩ ଦିନ ବସିବ ବୋର୍ଡ, ଦିବ୍ୟାଙ୍ଗଙ୍କୁ ମିଳିବ ଆଶ୍ୱସ୍ତି*
ନୂଆପଡା(ମିଖାଏଲ ନନ୍ଦ)
ତା-୨୫/୦୯:
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜିଲ୍ଲା ମେଡିକାଲ ବୋର୍ଡ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦିବ୍ୟାଙ୍ଗ ହିତାଧିକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଣିକି ଜିଲ୍ଲାରେ ପ୍ରତି ମାସରେ ୩ ଦିନ ମେଡିକାଲ ବୋର୍ଡ ବୈଠକ ବସିବା ନେଇ ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ଜିଲ୍ଲାରେ ମାସକୁ ମାତ୍ର ଥରେ ସ୍ୱାସ୍ଥ୍ୟ ବୋର୍ଡ ବସୁଥିବାରୁ ପ୍ରମାଣପତ୍ର ପାଇବା ପାଇଁ ଦିବ୍ୟାଙ୍ଗମାନଙ୍କୁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ୁଥିଲା ଏବଂ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।
ନୂତନ ନିୟମ ଅନୁସାରେ:
ପ୍ରତି ମାସରେ ଗୋଟିଏ ଦିନ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୋର୍ଡ ବସିବ।
ଗୋଟିଏ ଦିନ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହେବ।
ଅନ୍ୟ ଏକ ଦିନ ଜିଲ୍ଲାର କୌଣସି ଉପାନ୍ତ ଅଞ୍ଚଳ ବା ଗ୍ରାମପଞ୍ଚାୟତରେ ଏହି ଶିବିର ଆୟୋଜନ କରାଯିବ।
ଏହି ପଦକ୍ଷେପ ଫଳରେ ଦୂରଦୂରାନ୍ତରୁ ଆସୁଥିବା ଦିବ୍ୟାଙ୍ଗ ବ୍ୟକ୍ତିବିଶେଷ ବିଶେଷ ଉପକୃତ ହେବେ ଏବଂ ବିନା କୌଣସି ହଇରାଣ ହରକତରେ ସହଜ ଓ ସରଳ ଉପାୟରେ ନିଜର ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇପାରିବେ। ପ୍ରଶାସନର ଏହି ଜନହିତକର ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।
