ନିର୍ମାଣାଧୀନ ଖୋଲା ପାଇଖାନା ଟାଙ୍କିରେ ପଡ଼ି ୬ ବର୍ଷ ର ପୁଅ ମୃତ୍ୟୁ।
:- ବିଭାଗୀୟ ଅବହେଳା ନେଲା ନିଷ୍ପାପ ଶିଶୁର ଜୀବନ।
ବେତନଟୀ : ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ନଡ଼ପୁର ଡାକ୍ତରଖାନା ପରିସରରେ ପ୍ରଶାସନିକ ଉଦାସୀନତା ଓ ନିର୍ମାଣକାରୀ ସଂସ୍ଥାର ଚରମ ଅବହେଳା ଯୋଗୁଁ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଏକ ନିର୍ମାଣାଧୀନ ଅସୁରକ୍ଷିତ ଖୋଲା ପାଇଖାନା ଟାଙ୍କିରେ ପଡ଼ି ନିକଟସ୍ଥ ନୂଆଗାଁ ଗ୍ରାମର ୬ ବର୍ଷର ନିଷ୍ପାପ ଶିଶୁପୁତ୍ର ଅର୍ଜୁନ ବିନ୍ଧାଣିଙ୍କର ଗୁରୁବାର ଦୁଃଖଦ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗ୍ରାମର ଲକ୍ଷ୍ମୀଧର ବିନ୍ଧାଣି ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିବା ବେଳେ ତାଙ୍କ ପତ୍ନୀ ଅଞ୍ଜଳି ନଡ଼ପୁର ଡାକ୍ତରଖାନାର ନିର୍ମାଣାଧୀନ ବିଲ୍ଡିଂରେ ଦିନମଜୁରିଆ ଭାବେ କାମ କରୁଥିଲେ। ଗୁରୁବାର ଅପରାହ୍ନରେ ମା’ କାମକୁ ଆସିବା ବେଳେ ପୁଅ ଅର୍ଜୁନ ମଧ୍ୟ ତାଙ୍କ ସହ ଚାଲିଆସି ପାଖରେ ଖେଳୁଥିଲା। ଏହି ସମୟରେ ଅସାବଧାନତା ବଶତଃ ଶିଶୁଟି ପାଣି ଭର୍ତ୍ତି ଖୋଲା ଟାଙ୍କି ଭିତରେ ବୁଡ଼ି ଯାଇଥିଲା। ବହୁ ଖୋଜାଖୋଜି ପରେ ରାତି ପ୍ରାୟ ସାଢ଼େ ୭ଟାରେ ଟାଙ୍କି ଭିତରୁ ତାକୁ ଉଦ୍ଧାର କରାଯାଇ ବେତନଟୀ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ସାଧାରଣ ଲୋକଙ୍କ ନିରାପତ୍ତା ପ୍ରତି ସରକାରୀ ନିର୍ଦ୍ଦେଶାବଳୀର ଖୋଲାଖୋଲି ଉଲ୍ଲଂଘନ କରି କାର୍ଯ୍ୟ କରୁଥିବା ଠିକାଦାର ଏବଂ ନିରୀକ୍ଷଣ ଦାୟିତ୍ୱରେ ଥିବା ମହିଳା ଯନ୍ତ୍ରୀଙ୍କ ଭୂମିକା ଉପରେ ଏବେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିପଦସଙ୍କୁଳ ଖୋଲା ଟାଙ୍କିକୁ ତୁରନ୍ତ ଘେରାଉ କରିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିଆସୁଥିଲେ ସୁଦ୍ଧା ଉଭୟ ଠିକାଦାର ଓ ଯନ୍ତ୍ରୀ ଏହାକୁ କର୍ଣ୍ଣପାତ ନ କରି ଚରମ ବେପରୁଆ ମନୋଭାବ ପ୍ରଦର୍ଶନ କରିଥିଲେ। ପ୍ରଶାସନ ତଥା ସରକାରଙ୍କ ଢିଲା ତଦାରଖ ବ୍ୟବସ୍ଥା ଯୋଗୁଁ ଆଜି ଜଣେ ଗରିବ ଶ୍ରମିକ ନିଜ ସନ୍ତାନକୁ ହରାଇଲା। କେବଳ ଲୋକଦେଖାଣିଆ ତଦନ୍ତ ନକରି, ଏହି ଅକ୍ଷମଣୀୟ ଅବହେଳା ପାଇଁ ଦାୟୀ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କ୍ଷତିଗ୍ରସ୍ତ ପରିବାରକୁ ଉପଯୁକ୍ତ ସରକାରୀ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଶୁକ୍ରବାର ସକାଳ ବେଳା ଶବ ବ୍ୟବଚ୍ଛେଦ କରାଯିଇ ମୃତ ଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବାର ଖବର ମିଳିଛି।
