*ଅର୍ଣ୍ଣବ ତାଣ୍ଡବରେ ଉଜୁଡ଼ିଲା ଏରସମା, ଗଛ ଉପୁଡ଼ି ରାସ୍ତା ଅବରୋଧ*
*ଜଗତସିଂହପୁର ଜିଲ୍ଲା ଏରସମା :* ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଏରସମା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୁରୁବାର ରାତିରୁ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ପବନ ବହିବା ଯୋଗୁଁ ବ୍ଲକର ବିଭିନ୍ନ ଗାଁ ଜଳାର୍ଣବ ହୋଇପଡ଼ିଛି। ଅନେକ ସ୍ଥାନରେ ଗଛ ଭାଙ୍ଗିବା ସହ ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଛି।
ସଦର ଏରସମାର ଶିବପୁର, ପାଇକସାହି, ପାଟଣାସାହି ଆଦି ଗାଁରେ ବର୍ଷାଜଳ ଘର ଭିତରକୁ ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏରସମା-ମଣିଜଙ୍ଗା ରାସ୍ତାର ଇବ୍ରିସିଂ ନିକଟରେ ବଡ଼ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଯାଇଥିଲା। ସେହିପରି ଗଡବିଶୁନପୁର, କାଙ୍କଣ, ଦହିବରା, କୋଚିଳାବେଦୀ ସମେତ ଅଧିକାଂଶ ଗାଁ ଜଳବନ୍ଦୀ ହୋଇଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଡିଓ ଦାଶରଥି ଜେନା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି। ଶୁକ୍ରବାର ସକାଳୁ ଅଗ୍ନିଶମ ବାହିନୀର ୩ଟି ଟିମ୍ ପୁନରୁଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
